Categories: ଖେଳ

କ୍ରୁନାଲ ପାଣ୍ଡ୍ୟାଙ୍କୁ ପୁଣି ଏକ ଝଟ୍‌କା

ନୂଆଦିଲ୍ଲୀ,୨୩।୮: ପ୍ରଥମେ ଭାରତୀୟ କ୍ରିକେଟ ଟିମ୍‌ରୁ ବାହାରିିଥିବା କ୍ରୁନାଲ ପାଣ୍ଡ୍ୟାଙ୍କୁ ପୁଣି ଏକ ଝଟ୍‌କା ଲାଗିଛି। ୩୧ ବର୍ଷୀୟ ଏହି କ୍ରିକେଟର ରୟାଲ ଲଣ୍ଡନ ଓ୍ବାନ୍‌ ଡେ କପ୍‌ରୁ ବାଦ୍‌ ପଡ଼ିଛନ୍ତି। ସେ ଏହି ଟୁର୍ନାମେଣ୍ଟରେ ଇଂଲିଶ କାଉଣ୍ଟିଂ ଓ୍ବାର୍‌ଓ୍ବିକ୍ସାୟାରର ଅଂଶ ଥିଲେ। ୧୭ ଅଗଷ୍ଟରେ ନଟିଂହାମଶାୟାର ବିପକ୍ଷରେ ବ୍ୟାଟିଂ କରୁଥିବା ବେଳେ ସେ ଆହତ ହୋଇଥିଲେ। ତାଙ୍କ ଜଙ୍ଘରେ ଆଘାତ ଲାଗିଥିବାରୁ ସେ ଫିଲ୍ଡ୍‌ିଂ ମଧ୍ୟ କରିପାରି ନ ଥିଲେ।

କ୍ରୁନାଲ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମଙ୍ଗଳବାର ସୋସିଆଲ ମିଡିଆରେ ସେ ପୋଷ୍ଟ ଲେଖି କହିଛନ୍ତି, ‘ମୁଁ ଓ୍ବାର୍‌ଓ୍ବିକ୍ସାୟାର ସହ ମୋର ସମୟକୁ ଉପଭୋଗ କରିଛି। ଆହତ ହେବା ଯୋଗୁ ଅଧିକ ଯୋଗଦାନ ଦେଇପାରିଲି ନାହିଁ। ହେଲେ ମୁଁ ଚମତ୍କାର ଲୋକଙ୍କ ସହ ବିତାଇଥିବା ସମୟର ଏକ ଭଲ ଅନୁଭୂତି ସହ ଫେରୁଛି। ଏସବୁ ପାଇଁ ଧନ୍ୟବାଦ।’
ପ୍ରକାଶ ଯେ, କ୍ରୁନାଲ ଓ୍ବାର୍‌ଓ୍ବିକ୍ସାୟାର ପକ୍ଷରୁ ୫ ମ୍ୟାଚ୍‌ ଖେଳିଥିଲେ। ଏଥିରେ ସେ ହାରାହାରି ୩୩.୫୦ ଅନୁପାତରେ ୧୩୪ ରନ୍‌ କରିଥିଲେ। ଏଥିସହ ସେ ୯ ଉଇକେଟ ମଧ୍ୟ ନେଇଥିଲେ।

Share