ଚୁମ୍ବନ ଦେଇ ବ୍ୟାଟ୍ସମ୍ୟାନ୍‌ଙ୍କୁ ପାଭିଲିୟନକୁ ପଠାଇଲେ ବୋଲର୍‌: ଦେଖନ୍ତୁ ଭିଡିଓ

ମୁମ୍ବାଇ,୨୫।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ୍‌ରେ ପରାସ୍ତ କରିଛି। ପୁଣି ଥରେ ମୁମ୍ବାଇର ବ୍ୟାଟ୍ସମ୍ୟାନ୍‌ମାନେ ଏହି ମ୍ୟାଚ୍‌ରେ ଭଲ ଖେଳି ନ ଥିଲେ। ଏଥିରେ କିରନ ପୋଲାର୍ଡ ମଧ୍ୟ ସାମିଲ ଅଛନ୍ତି। ସେ ୨୦ଟି ବଲରେ ୧୯ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ମ୍ୟାଚ୍‌ରେ ଶେଷ ଓଭରରେ କ୍ରୁନାଲ ପାଣ୍ଡ୍ୟାଙ୍କ ଦ୍ୱାରା ପୋଲାର୍ଡଙ୍କୁ ଆଉଟ୍‌ କରାଯାଇଥିଲା। କ୍ରୁନାଲ ପୋଲାର୍ଡଙ୍କ ଉଇକେଟ ନେବା ମାତ୍ରେ ପଡ଼ିଆରେ ଏକ ମଜାଦାର ଘଟଣା ଘଟିଥିଲା। ଶେଷ ୬ଟି ବଲରେ ଜିତିବା ପାଇଁ ମୁମ୍ବାଇ ୩୯ ରନ ଆବଶ୍ୟକ କରିଥିଲା। କ୍ରୁନାଲଙ୍କ ପ୍ରଥମ ବଲରେ ପୋଲାର୍ଡ ଏକ ବଡ଼ ସଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଲ ବ୍ୟାଟ ଉପରେ ସମ୍ପୂର୍ଣ୍ଣ ରୂପେ ଆସି ନ ଥିଲା ଏବଂ ମିଡଉଇକେଟ ଠାରେ ଫିଲ୍ଡିଂ କରୁଥିବା ଦୀପକ ହୁଡା କ୍ୟାଚ ନେଇଥିଲେ। ପୋଲାର୍ଡଙ୍କୁ ଆଉଟ୍‌ କରିବା ପରେ କ୍ରୁନାଲ ଏତେ ଖୁସି ହୋଇଗଲେ ଯେ ସେ ପୋଲାର୍ଡଙ୍କ ମୁଣ୍ଡକୁ ଚୁମ୍ବନ ଦେଇଥିଲେ।
ପୋଲାର୍ଡ କିନ୍ତୁ କୌଣସି ପ୍ରତିକ୍ରିୟା ନ ଦେଇ ପାଭିଲିୟନକୁ ଫେରିଗଲେ। ମ୍ୟାଚର ଶେଷ ଓଭରରେ କ୍ରୁନାଲ ଡାନିଏଲ ସାମସଙ୍କ ଉଇକେଟ ନେବା ସହିତ ପୋଲାର୍ଡଙ୍କୁ ଆଉଟ କରିଥିଲେ। ଜୟଦେବ ଉନାଦକଦ ମଧ୍ୟ ଶେଷ ଓଭରରେ ରନ୍‌ ଆଉଟ ହୋଇଥିଲେ।
କ୍ରୁନାଲ ପାଣ୍ଡ୍ୟା ଏବଂ କିରାନ ପୋଲାର୍ଡ ଗତ ସିଜିନ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ। ଉଭୟ ଅନେକ ଥର ମୁମ୍ବାଇକୁ ସ୍ମରଣୀୟ ବିଜୟ ପ୍ରଦାନ କରିଛନ୍ତି। କିନ୍ତୁ ଆଇପିଏଲ ୨୦୨୨ ପୂର୍ବରୁ ମୁମ୍ବାଇ ପୋଲାର୍ଡକୁ ବଜାୟ ରଖିଥିଲା। କ୍ରୁନାଲ ଏବେ ଲକ୍ଷ୍ନୌ ପାଇଁ ଖେଳୁଛନ୍ତି।

Share