ମାମୁଁଙ୍କ ସହ ଶୁଟିଂ କରିବାକୁ ଚାହୁଁ ନାହାନ୍ତି କୃଷ୍ଣା

ମୁମ୍ବାଇ,୪।୯: ମାମୁଁ-ଭଣଜା ଯୋଡ଼ି ଭାବେ ଜଣାଶୁଣା ଗୋବିନ୍ଦା ଓ କୃଷ୍ଣା ଅଭିଷେକଙ୍କ ମଧ୍ୟରେ ଏବେ କିଛି ଠିକ୍‌ ନାହିଁ। ୩ ବର୍ଷ ହେଲା ଦୁହେଁ ପରସ୍ପର ସହ ଆଉ କାମ କରିବାକୁ ଚାହୁଁ ନାହାନ୍ତି। ଏବେ କୃଷ୍ଣା ‘ଦ କପିଲ ଶର୍ମା ଶୋ’ର ପରବର୍ତ୍ତୀ ଏପିସୋଡ୍‌ ଲାଗି ଶୁଟିଂ କରିବାକୁ ମନା କରି ଦେଇଛନ୍ତି। କାରଣ ଏହି ଏପିସୋଡ୍‌ରେ ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ ସୁନିତା ଆହୁଜା ଅତିଥି ଭାବେ ଯୋଗଦେବେ। ତେବେ ଏହା ପ୍ରଥମ ଥର ନୁହେଁ। ଗତ ବର୍ଷ ନଭେମ୍ବରରେ ମଧ୍ୟ ଗୋବିନ୍ଦା ଓ ସୁନିତା କପିଲ ଶର୍ମା ଶୋ’କୁ ଅତିଥି ଭାବେ ଆସିଥିଲେ। ସେଥର ମଧ୍ୟ ଶୁଟିଂ କରିବାକୁ ରାଜି ହୋଇ ନ ଥିଲେ କୃଷ୍ଣା।

ଏ ସମ୍ପର୍କରେ କୃଷ୍ଣା କହିଛନ୍ତି, ଗତ ୧୫ ଦିନ ହେଲା ଲଗାତାର ମୁଁ ମୋ ଫିଲ୍ମ ଓ କପିଲ ଶର୍ମା ଶୋ’ ପାଇଁ ଶୁଟିଂ କରୁଛି। କପିଲଙ୍କ ଶୋ’ ପାଇଁ ମୁଁ ଅଧିକ ପରିଶ୍ରମ କରିବାକୁ ସର୍ବଦା ପ୍ରସ୍ତୁତ। କିନ୍ତୁ ମୁଁ ଯେତେବେଳେ ଜାଣିଲି ସେମାନେ ପରବର୍ତ୍ତୀ ଏପିସୋଡ୍‌ରେ ଅତିଥି ହେବାକୁ ଯାଉଛନ୍ତି, ମୁଁ ଏହାର ଅଂଶ ହେବାକୁ ଚାହୁଁନି। ଏଣୁ ମୋ ଡେଟ୍‌ରେ କୌଣସି ପରିବର୍ତ୍ତନ କରୁ ନାହିଁ। ମୋ ମତରେ ଉଭୟ ପକ୍ଷ ଏକାଠି ଷ୍ଟେଜରେ ବସିବାକୁ ଇଚ୍ଛୁକ ନୁହେଁ।

Share