ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର୍’ରେ ଅଭିନୟ କରି ଉଚ୍ଚ ପ୍ରଶଂସିତ ହେଉଛନ୍ତି ଅଭିନେତ୍ରୀ କୃତିକା ଦେଶାଇ। ଶୋ’ରେ ସେ ଘରର ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି। ଅଭିନୟ ସହ ବ୍ୟକ୍ତିଗତ ଜୀବନରେ ସର୍ବଦା ମୁହଁରେ ହସ ରଖିଥାନ୍ତି ସେ, ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ। ନିକଟରେ ସେ ଏକ ସାକ୍ଷାତକାରରେ ନିଜର ହସ ପଛର କଷ୍ଟ ବିଷୟରେ ଜଣାଇଛନ୍ତି।
ଲକ୍ଡାଉନ୍ର ୫ ଦିନ ପୂର୍ବରୁ ୨୦୨୦ ମାର୍ଚ୍ଚ ୧୬ରେ କୃତିକାଙ୍କ ସ୍ବାମୀ ତଥା ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ଇମ୍ତିଆଜ୍ ଖାନ୍ଙ୍କ ନିଧନ ହୋଇଥିଲା। ଏହା ତାଙ୍କୁ ଭାଙ୍ଗି ଦେଇଥିଲା। ସେତେବେଳେ ଅଭିନୟକୁ ଫେରିବା ସମ୍ଭବ ନ ଥିଲା। ସେ ନିଜକୁ ଏବଂ ଝିଅକଙ୍କୁ ସମୟ ଦେବାକୁ ଚାହୁଁଥିଲେ। ଏକା କାନ୍ଦିବାକୁ ଚାହୁଁଥିଲେ। ଲକ୍ଡାଉନ୍ ତାଙ୍କୁ ସେହି ସମୟ ଦେଇଥିଲା। ହେଲେ ସେ ନିଜକୁ ଏକୁଟିଆ ମନେ କରିଥିଲେ। ଦୁଃଖ ସମୟରେ କେହି ତାଙ୍କୁ ଭେଟିବାକୁ ମଧ୍ୟ ଆସୁ ନ ଥିଲେ। ଏହି ସମୟରେ ତାଙ୍କୁ କେବଳ ସ୍ବାମୀଙ୍କ ଶେଷକଥା ‘ ଏବେ ମୁଁ ଯାଉଛି’ ମନେ ପଡ଼ୁଥିଲା। ଧିରେ ଧିରେ ସମୟ ସହ ଲଢ଼ି ସେ ସେଥିରୁ ମୁକୁଳିଥିଲେ।
କୃତିକା ୧୯୮୮ରେ ସ୍ବାମୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ନାଟକରେ ଅଭିନୟ କରିଥିଲେ। ଏହି ସମୟରେ ଉଭୟଙ୍କ ଭିତରେ ନିବିଡ଼ତା ବଢ଼ିଥିଲା। ସେତେବେଳେ କୃତିକାଙ୍କୁ ମାତ୍ର ୨୩ ବର୍ଷ ହୋଇଥିବା ବେଳେ ଇମ୍ତିଆଜ୍ ୪୧ ବର୍ଷର ଥିଲେ। ହେଲେ ବୟସର ଏତେ ତଫାତ କିଛି ପ୍ରଭାବ ପକାଇ ନ ଥିଲା। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।