ପଲିଥିନ ତଳେ କ୍ଷୀର ବେୱାଙ୍କ ଜୀବନ

ବେହେରା,୨୮ା୫(ଡି.ଏନ.ଏ.): ଗରିବ ଅସହାୟମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକା ଘର ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଥିବା ବେଳେ ପ୍ରକୃତ ହିତାଧିକାରୀ ବର୍ଷ ବର୍ଷ ଧରି ଏଥିରୁ ବଞ୍ଚତ୍ତ ହେଉଛନ୍ତି। କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମରେ ଏପରି ଏକ ଚିତ୍ର ଦେଖିବାକୁ ମିଳିଛି। ବେହେରା ଗ୍ରାମର ୱାର୍ଡ ନଂ.୩ର କ୍ଷୀର ବେୱା (୭୫)। ବୟସର ଅପରାହ୍ନରେ ଏକୁଟିଆ ପଲିଥିନ କୁଡ଼ିଆ ଭିତରେ ରହି ଆସୁଛନ୍ତି। ବର୍ଷ ବର୍ଷ ଧରି କାଳବୈଶାଖୀର ତାଣ୍ଡ, ପ୍ରବଳ ବର୍ଷା ଓ ଗ୍ରୀଷ୍ମର ଉତ୍ତାପକୁ ସେ ଭାଗ୍ୟର ବିଡମ୍ବନା ଭାବି ସହି ଆସୁଛନ୍ତି ଉକ୍ତ କୁଡ଼ିଆ ଭିତରେ। ଆବାସଟିଏ ପାଇଁ ଦୀର୍ଘ ବର୍ଷ ଅନେକ ସରପଞ୍ଚଙ୍କୁ ଗୁହାରି କରିଛନ୍ତି। ପ୍ରତିଶ୍ରୁତି ଦେଇ କେହି ଶୁଣୁ ନ ଥିବା ସେ ଅଭିଯୋଗ କରନ୍ତି। ବର୍ତ୍ତମାନର ହିତାଧିକାରୀ ଲିଷ୍ଟରେ ମଧ୍ୟ ତାଙ୍କ ନାମ ନ ଥିବା ଜାଣି ପାରି ସେ ହତାଶ ହୋଇ ପଡିଛନ୍ତି। ଏ ନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରାଙ୍ଗ ନାଗଙ୍କୁ ପଚାରିବାରୁ ପୁଣି ଥରେ ତାଙ୍କ ନାମକୁ ହିତାଧିକାରୀ ଲିଷ୍ଟରେ ସାମିଲ କରିଯାଇ ଆବାସ ପାଇଁ ଅନୁମୋଦନ କରାଯିବାକୁ ପଠାଯାଇଥିବା ପ୍ରକାଶ କରିଥିଲେ। ତେବେ କେଉଁ ଆଧାରରେ ହିତାଧିକାରୀ ଚୟନ ହେଉଛି, ଫଳରେ ପ୍ରକୃତ ହିତାଧିକାରୀ ବାଦ୍‌ ପଡୁଥିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ପ୍ରକୃତ ହିତାଧିକାରୀ କ୍ଷୀର ବେୱାଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରି ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Share