Categories: ଜାତୀୟ

କୁଚ୍‌ବିହାର କାଣ୍ଡ ପ୍ରାୟୋଜିତ ଗଣହତ୍ୟା: ମମତା

ସିଲିଗୁଡ଼ି/କୋଲକାତା, ୧୨।୪: କୁଚ୍‌ବିହାର ଗୁଳିକାଣ୍ଡ ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର କହିଛନ୍ତି। ନିର୍ବାଚନ କମିଶନ ସତ୍ୟକୁ ଚାପି ଦେଇଥିବା ଅଭିଯୋଗ କରି ସେ ଏହାର କଡ଼ା ସମାଲୋଚନା କରିଛନ୍ତି। ମତଦାନ ବେଳେ ଧାଡ଼ିରେ ଛିଡ଼ା ହୋଇଥିବା ନିରୀହ ଭୋଟରଙ୍କ ଉପରେ କେନ୍ଦ୍ରୀୟ ସୁରକ୍ଷା ବଳର ଗୁଳି ଚାଳନା ଘଟଣା ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ସମାଲୋଚନା କରିବା ସହ ସେମାନେ ଅଯୋଗ୍ୟ ବୋଲି କହିଛନ୍ତି।
ଶନିବାର କୁଚ୍‌ବିହାର ଜିଲାର ଏକ ବୁଥ୍‌ରେ ମତଦାନ ଚାଲିଥିବାବେଳେ ଭୁଲ୍‌ ବୁଝାମଣାକୁ ନେଇ ସ୍ଥାନୀୟ ଲୋକେ ସିଆଇଏସ୍‌ଏଫ୍‌ ଯବାନଙ୍କୁ ଆକ୍ରମଣ କରିବା ସହ ସେମାନଙ୍କଠାରୁ ରାଇଫଲ ଛଡ଼ାଇନେବାକୁ ଉଦ୍ୟମ କରିବାରୁ ସେମାନେ ଗୁଳି ଚଳାଇଥିଲେ। ଯବାନଙ୍କ ଗୁଳିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ରବିବାରକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମମତା କହିଥିଲେ। ସିଆଇଏସ୍‌ଏଫ୍‌ କାର୍ଯ୍ୟକୁ ନିର୍ବାଚନ କମିଶନ (ଇସି) ସମର୍ଥନ କରିଥିଲେ। ଆତ୍ମରକ୍ଷା ପାଇଁ ସେମାନେ ଗୁଳି ଚଳାଇଥିବା ଇସି ଶନିବାର କହିଥିଲେ। କେନ୍ଦ୍ରୀୟ ସୁରକ୍ଷା ବଳ ପଶ୍ଚିମବଙ୍ଗରେ ଭୋଟରମାନଙ୍କୁ ହଇରାଣ କରୁଥିବା ମମତା ଅଭିଯୋଗ କରିଆସୁଛନ୍ତି।
ଅନ୍ୟପକ୍ଷରେ ଅମିତ୍‌ ଶାହା କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହିଂସାକାଣ୍ଡ ସୃଷ୍ଟି ପାଇଁ ଲୋକଙ୍କୁ ଉସୁକାଇଥିଲେ। ସୁରକ୍ଷା ବଳକୁ ଟାର୍ଗେଟ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ, ଯେଉଁଥିପାଇଁ କୁଚ୍‌ବିହାରର ସିତଲକୁଚି ମତଦାନ କେନ୍ଦ୍ରରେ ହିଂସାକାଣ୍ଡ ଘଟିଲା। ଏବେ ହତ୍ୟାକାଣ୍ଡକୁ ରାଜନୀତିକରଣ କରାଯାଉଛି ବୋଲି ଶାହା ଶାନ୍ତିପୁରଠାରେ ଏକ ରାଲିକୁ ସମ୍ବୋଧନ କରି କହିଛନ୍ତି। ଆଗାମୀ ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଦେବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Share