Advertisement

ସ୍ବତନ୍ତ୍ର ଜିଲା ଦାବି ତେଜିଲା

କୁଚିଣ୍ଡା,୧ା୯(ବିରଞ୍ଚତ୍ ଦର୍କା): କୁଚିଣ୍ଡାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ତେଜିବାରେ ଲାଗିଛି। ସରକାର କୁଚିଣ୍ଡାକୁ ଜିଲା ଘୋଷଣା ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଗୁରୁବାର କ୍ରିୟାନୁଷ୍ଠାନ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। କୁଚିଣ୍ଡା ଓକିଲ ସଂଘ ସଭାଗୃହରେ କ୍ରିୟାନୁଷ୍ଠାନ କମିଟି ଆବାହକ ପ୍ରମୋଦ କୁମାର ଛୁରିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ସରକାର ଏ ଦିଗରେ ପଦକ୍ଷେପ ନେଉ ନ ଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବୈଠକର ନିଷ୍ପତ୍ତି କ୍ରମେ ସୋମବାରଠାରୁ କୁଚିଣ୍ଡା ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବାକୁ ଚୂଡାନ୍ତ ହୋଇଛି। ଏଥିରେ କୁଚିଣ୍ଡା ଉପଖଣ୍ଡର ସମସ୍ତ ରାଜନୈତିକ, ସାମାଜିକ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଜାତି ସଙ୍ଗଠନକୁ ସାମିଲ କରି ଲଢେଇ କରିବାକୁ ଋଣନୀତି ପ୍ରସ୍ତୁତ ହୋଇଛି। ଗୋଟିଏ ଦିନ ବନ୍ଦ ପାଳନ ପାଇଁ ମଧ୍ୟ ପ୍ରସ୍ତାବ ନିଆଯାଇଥିବା ଆବାହକ ଛୁରିଆ କହିଛନ୍ତି। ବୈଠକରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ଭାଜପା ସମ୍ବଲପୁର ଜିଲା ସାଧାରଣ ସମ୍ପାଦକ ଶୁଶିଳ କର, ଗଣେଶ ଅଗ୍ରୱାଲ, ବାପି ଶର୍ମା, ଉଦୟ ପ୍ରତାପ ସିଂ ପ୍ରମୁଖଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share