କୁଚିଣ୍ଡା ନାବାଳିକା ଗଣବଳାତ୍କାର ମାମଲା: ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେଡି

କୁଚିଣ୍ଡା,୨୩ା୧୦(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ଦଳିତ ନାବାଳିକାଙ୍କୁ ଅପହରଣ ପରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ରାଜନୈତିକ ଚାପରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନ କରି ଘଣ୍ଟ ଘୋଡ଼ାଉଛି ବୋଲି ବିଜେଡି କହିଛି। ଏଥିସହିତ ଦଳ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଇସ୍ତଫା ଦାବି କରିଛି।
ନ୍ୟାୟ ପ୍ରଦାନ ଦାବିରେ ମଙ୍ଗଳବାର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଅଭିଯୁକ୍ତଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରା ନ ଗଲେ ବିଜେଡି ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ବହୁସଂଖ୍ୟକ ନେତା ଓ କର୍ମୀ ଉକ୍ତ ଘଟଣା ନେଇ ଉପଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୀଡ଼ିତା ୧୬ତାରିଖ କୁଚିଣ୍ଡା ଥାନାରେ ଅପହରଣ ଓ ଅସଦାଚରଣ ରିପୋର୍ଟ କରିଥିଲେ। ଗଣବଳାତ୍କାର ଅଭିଯୋଗ କରିଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ବିଜେଡି ଦାବିପତ୍ରରେ ଉଲ୍ଲେଖ କରିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଏହି କାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହଯୋଗୀ। ତେଣୁ ତଦନ୍ତରେ ବାଧା ଉପୁଜିବା ଆଶଙ୍କା ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ ବୋଲି ବିଜେଡି ଦାବି କରିଛି।
ସୂଚନା ଅନୁସାରେ ଗତ ୧୫ତାରିଖରେ କୁଚିଣ୍ଡା ପଞ୍ଚମୁଖୀ ଛକରେ ଅନୁଷ୍ଠିତ କରମା ପୂଜା ଦେଖିବାକୁ ଯାଇଥିବା ଜଣେ ଦଳିତ ନାବାଳିକାଙ୍କୁ ଘରେ ଛାଡ଼ି ଦେବାକୁ କହି ରାତି ପ୍ରାୟ ସାଢ଼େ ୧ଟାରେ କାହ୍ନା ଛତ୍ରିଆ ନାମକ ଜଣେ ଯୁବକ କାର୍‌ରେ ବସାଇ ନେଇଥିଲେ। ସେଥିରେ ପୂର୍ବରୁ ଅନ୍ୟ ଯୁବକ ଥିଲେ। କାର୍‌ରେ ତାଙ୍କୁ ଥଣ୍ଡା ପାନୀୟରେ ମାଦକଦ୍ରବ୍ୟ ମିଶାଇ ସେମାନେ ଜବରଦସ୍ତ ପିଆଇ ଅସଦାଚରଣ କରିଥିଲେ। ଭୋର ପ୍ରାୟ ୪ଟାରେ ନାବାଳିକାଙ୍କୁ ପଞ୍ଚମୁଖୀ ଛକ ହନୁମାନ ମନ୍ଦିର ନିକଟକୁ ଆଣି ଛାଡ଼ି ପଳାଇଥିଲେ।
ପୋଲିସ ଘଟଣାର ଠିକ୍‌ ତଦନ୍ତ ନ କରି ୩ଜଣଙ୍କୁ ଗିରଫ କରିଥିବା ବେଳେ ଅପହରଣରେ ବ୍ୟବହୃତ କାର୍‌ ଜବତ କରିଥିଲା। ହେଲେ ତାଙ୍କୁ ୫ଜଣ ଗଣବଳାତ୍କାର କରିଥିବା ସୋମବାର ପୀଡ଼ିତା ସମ୍ବଲପୁର ଆରକ୍ଷୀ ଅଧୀକ୍ଷକଙ୍କଠାରେ ଅଭିଯୋଗ କରିଥିଲେ। ଦାବିପତ୍ର ଗ୍ରହଣ କରି କୁଚିଣ୍ଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଅମିତାଭ ପଣ୍ଡା କହିଛନ୍ତି, ପୀଡ଼ିତାଙ୍କ ରିପୋର୍ଟ ଆଧାରରେ ଥାନାରେ ଅପହରଣ ଓ ଅସଦାଚରଣ ମାମଲା ରୁଜୁ ହୋଇଥିଲା। ସେ ବୟାନ ବଦଳାଇ ଗଣବଳାତ୍କାର ଅଭିଯୋଗ କରିବା ପରେ ଆରକ୍ଷୀ ଅଧୀକ୍ଷକ ଘଟଣାର ତଦନ୍ତ ପାଇଁ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଦାୟିତ୍ୱ ଦେଇଛନ୍ତି।

Share