କୁଜଙ୍ଗ-ଚଟୁଆ ଶୋଚନୀୟ: ୭ ଦିନରେ ସମାଧାନ ନ ହେଲେ ଆନ୍ଦୋଳନ

କୁଜଙ୍ଗ,୨୧ା୧୦(ଡି.ଏନ୍‌.ଏ.): କୁଜଙ୍ଗ-ଚଟୁଆ ରାସ୍ତା ଅବସ୍ଥା ୪ ବର୍ଷହେବ ଶୋଚନୀୟ ହୋଇଯାଇଛି। କୁଜଙ୍ଗ ଗ୍ରାମ୍ୟ ଉନ୍ନୟନ ଅଧୀନରେ ଥିବା ଏହି ରାସ୍ତାଦେଇ ପୁରୀ ଜିଲାର ଅସ୍ତରଙ୍ଗ, ଜଗତ୍‌ସିଂହପୁର ଜିଲାର ବାଲିକୁଦା, ନାଉଗାଁ, ଏରସମା, କୁଜଙ୍ଗ ବ୍ଲକ ସମେତ ପାରଦୀପ ବନ୍ଦର ଏବଂ ଶିଳ୍ପାଞ୍ଚଳର ଲୋକେ ଯାତାୟାତ କରିଥାନ୍ତି। ମାତ୍ର ରାସ୍ତା ଖରାପ ହୋଇଯାଇଥିବାରୁ ସାଧାରଣ ଲୋକଙ୍କ ସମେତ ଛାତ୍ରୀଛାତ୍ର ଓ ରୋଗୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ମନୋଭାବ ଯୋଗୁ ଏହି ସମସ୍ୟା ଦୂର ହେଉ ନଥବା ଅଭିଯୋଗ କରି ଭାଜପା ଯୁବମୋର୍ଚ୍ଛା ପକ୍ଷରୁ ସହକାରୀ ଯନ୍ତ୍ରୀଙ୍କୁ ଏକ ଦାବି ପତ୍ର ଦିଆଯାଇଛି। ସାତ ଦିନ ମଧ୍ୟରେ ରାସ୍ତା ମରାମତି କରାନଗଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଯୁବମୋର୍ଚ୍ଚା ସଂଯୋଜକ ଅକ୍ଷୟ ଦାସ, ବାଲିଆ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ନାୟକ, ନାଏବ ସରପଞ୍ଚ ସମରେନ୍ଦ୍ର ପ୍ରଧାନ, କୁଜଙ୍ଗ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଦୁଷ୍ମନ୍ତ ନାଥଶର୍ମା, ଅଭିଷେକ ସ୍ବାଇଁ, ଗୋପାଳ ସାହୁ, ସରୋଜ ନାଥଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share