Categories: Uncategorized

କୁକି, ମେଇତି ସମ୍ପ୍ରଦାୟ ସହ ଆଲୋଚନା କରିବ କେନ୍ଦ୍ର

ନୂଆଦିଲ୍ଲୀ,୧୮।୬: ମଣିପୁର ଜାତିଆଣ ହିଂସା ଘଟଣାକୁ ବର୍ଷେରୁ ଅଧିକ ସମୟ ବିତିଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ସୋମବାର ଏହା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାହା ଉକ୍ତ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ଶାନ୍ତି ଓ ସ୍ଥିରତା ପାଇଁ ଆବଶ୍ୟକ ହେଲେ କେନ୍ଦ୍ରୀୟ ବଳ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଣିପୁରର ମେଇତି ଓ କୁକି ସମ୍ପ୍ରଦାୟର ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ ମଧ୍ୟରେ ଏକତା ଫେରାଇଆଣିବା ଦିଗରେ କାର୍ଯ୍ୟ କରିବ। ରିଲିଫ୍‌ କେନ୍ଦ୍ରଗୁଡ଼ିକର ସ୍ଥିତି ବିଶେଷ କରି ସେଠାରେ ମିଳୁଥିବା ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ସୁବିଧାର ସମୀକ୍ଷା କରାଯାଇଥିଲା। ନୂଆଦିଲ୍ଲୀର ନର୍ଥ ବ୍ଲକ୍‌ସ୍ଥିତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ସଚିବ ଅଜୟ ଭାଲ୍ଲା, ଗୋଇନ୍ଦା ବ୍ୟୁରୋ ମୁଖ୍ୟ ତପନ ଡେକା, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ନବନିଯୁକ୍ତ ସେନାମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ, ମଣିପୁର ପାଇଁ ସୁରକ୍ଷା ଉପଦେଷ୍ଟା କୁଲଦୀପ ସିଂ, ମଣିପୁର ମୁଖ୍ୟ ସଚିବ ରାଜୀବ ସିଂ ଏବଂ ଆସାମ ରାଇଫଲ୍ସ ଡିଜି ପ୍ରଦୀପ ଚନ୍ଦ୍ର ନାୟାର ଯୋଗ ଦେଇଥିଲେ। ଦିନକ ପୂର୍ବରୁ ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ୍‌ କରି ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ମେ’ ୩ରୁ ମଣିପୁରରେ କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ଅନୂ୍ୟନ ୨୨୫ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ। ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଘରଦ୍ୱାର ଛାଡ଼ି ପଳାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଆଜି ପର୍ଯ୍ୟନ୍ତ ରିଲିଫ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ୨ ସପ୍ତାହ ପୂର୍ବେ ମୋରେହ ନିକଟରେ ଏକ ସ୍କୁଲ୍‌ ଘରକୁ ଉଗ୍ରପନ୍ଥୀ ନିଆଁ ଲଗାଇଦେବା ସହ ଜଣେ ନିଖୋଜ ବ୍ୟକ୍ତିଙ୍କ ମୁଣ୍ଡକାଟ କରିଥିଲେ। ଗତ ସପ୍ତାହରେ ସଶସ୍ତ୍ର ଉଗ୍ରପନ୍ଥୀମାନେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ସୁରକ୍ଷା ଟିମ୍‌ ଗାଡ଼ିକୁ ଆକ୍ରମଣ କରିଥିଲେ। ଶାନ୍ତି ଫେରାଇ ଆଣିବାକୁ ପ୍ରାଥମିକତା ଦେବା ଲାଗି ଗତ ୧୦ ତାରିଖରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଥିଲେ।