Categories: ଖେଳ

କ୍ଷତ ଭରିବାକୁ ସମୟ ଲାଗିବ: କୁଲଦୀପ

ନୂଆଦିଲ୍ଲୀ,୨୩।୧୧: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଫାଇନାଲ ମୁକାବିଲାରେ ପ୍ରବେଶ କରିଥିଲା। ହେଲେ ଟୁର୍ନାମେଣ୍ଟରେ ବିଜେତା ହେବାର ସ୍ବପ୍ନ ଆଶାରେ ରହିଯାଇଥିଲା। ଏହି ପରାଜୟକୁ ନେଇ କୋଟି କୋଟି କ୍ରିକେଟ ପ୍ରଶଂସକ ନିରାଶ ହୋଇଥିଲେ। ସେହିଭଳି ଭାରତୀୟ ଖେଳାଳିମାନେ ମଇଦାନରେ ଭାଙ୍ଗି ପଡ଼ିଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଏବେ ମୁକାବିଲାର ଦୁଇଦିନ ପରେ କ୍ରିକେଟର କୁଲଦୀପ ଯାଦବ ନିଜର ମନକଥା ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି।

କୁଲଦୀପ କହିଛନ୍ତି, ବିଶ୍ୱକପ୍‌ରେ ଚେନ୍ନାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଆମର ଯାତ୍ରା ନିରାଶାଜନକ ପରିଣାମ ସହ ସମାପ୍ତ ହୋଇଥିଲା। ହେଲେ ଆମକୁ ଛଅ ସପ୍ତାହରେ ନିଜର ଉପଲବ୍ଧି ଉପରେ ଗର୍ବ ହେଉଛି। ପରାଜୟର କଷ୍ଟ ସତ୍ତ୍ୱେ ଆମେ ଆଗାମୀ ଅବସର ଲାଗି ଆହୁରୀ କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ଏହାଛଡ଼ା ଆମର ସମର୍ପିତ ସହଯୋଗୀ ଷ୍ଟାଫଙ୍କୁ ଧନ୍ୟବାଦ। ସେମାନଙ୍କ ଲାଗି ଜଣେ ଖେଳାଳି ଭାବେ ପ୍ରତି ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ସହ ଲଢ଼ିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିଲୁ। ପ୍ରଶଂସକଙ୍କ ଭଲପାଇବା ଯୋଗୁ ହୃଦୟ ପୁରି ଉଠିଥିଲା। ପରାଜୟର ଦୁଃଖ ତ ରହିଛି। ହେଲେ ଆମକୁ ଆଗକୁ ବଢ଼ିବାକୁ ହେବ। ଜୀବନ ତା ବାଟରେ ଚାଲିବ। ହେଲେ କ୍ଷତ ଭରିବାକୁ ସମୟ ଲାଗିବ ବୋଲି ସେ କହିଛନ୍ତି।

Share