ଠାଏ ଠାଏ ଜଳୁଛି କୁଲଡ଼ିହା : ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ

ସଜନାଗଡ଼, ୧୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ନିଆଁ ବ୍ୟାପିବା ନେଇ ବନବିଭାଗ ଚିନ୍ତାରେ ପଡିଛି। ଫେବୃୟାରୀ ୪ ତାରିଖଠାରୁ ବନବିଭାଗ ନିଆଁକୁ ଆୟତ୍ତ କରିବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି। କୁଲଡ଼ିହା ଅଭୟାରଣ୍ୟ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ ଭିତରେ ଏକାଧିକ ପାହାଡ଼ ମଧ୍ୟରେ ଥିବା ଏକର ଏକର ଜମିରେ ହଜାର ହଜାର ବୃକ୍ଷଲତା ପୋଡ଼ି ପାଉଁଶ ହୋଇଯାଉଛି। ଏହି ବନାଗ୍ନି ଯୋଗୁ ଲକ୍ଷ ଲକ୍ଷ କୀଟପତଙ୍ଗ ଓ ବନୌଷଧି ଭସ୍ମୀଭୂତ ହୋଇଛି। ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଘାରିଥିବା ବେଳେ ବହୁ ଜୀବଜନ୍ତୁ ଓ ସରୀସୃପ ଜାତୀୟ ପ୍ରାଣୀ ପୋଡ଼ିଯାଇଥିବା ଅନୁମାନ କରାଯାଉଛି। ଏନେଇ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଓ କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ର ମିଳିତ ଭାବେ କୁଲଡ଼ିହା ଅଭୟାରଣ୍ୟ ପାଦଦେଶରେ ଥିବା ନିଆଁ ପ୍ରଭାବିତ ଅଞ୍ଚଳକୁ ବୁଲିବା ସହ କେସିପୁର ପଞ୍ଚାୟତର କେଳାମରା ଅଞ୍ଚଳବାସୀଙ୍କୁ ସଚେତନ କରିଛନ୍ତି।
ବିଧାୟକ ଇଂ. ନାୟକ ଲୋକଙ୍କୁ ବୁଝାଇ କହିଛନ୍ତି, ପ୍ରକୃତି ବଞ୍ଚତ୍ଲେ ଆମେ ବଞ୍ଚତ୍ବା। ନୀଳଗିରି ମାଟିର ଗର୍ବ ଆଉ ଗାରିମା ଘଞ୍ଚ ସବୁଜ ଜଙ୍ଗଲ ପ୍ରକୃତିର ଏକ ଅମୂଲ୍ୟ ବରଦାନ। ଏହି ପ୍ରକୃତିର ରାଣୀ କୁଲଡ଼ିହାର ସୁରକ୍ଷା ପାଇଁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ସେହିପରି କୁଲଡ଼ିହା ରେଞ୍ଜର ମହାପାତ୍ର ଲୋକଙ୍କୁ ସଚେତନ କରିବା ସହ ନିଆଁ ଲଗାଉଥିବା ବ୍ୟକ୍ତି ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମହେନ୍ଦ୍ର ମଢ଼େଇ, ଗଙ୍ଗାଧର ମିଶ୍ର, ଉପେନ୍ଦ୍ର ନାୟକ, ସୁରେଶ ନାୟକ, ସ୍ଥାନୀୟ ଫରେଷ୍ଟର, ସବୁଜ ବାହିନୀ, ଗାର୍ଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଆଁ ଲାଗିବା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏନେଇ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କ ସହ ବିଶଦ ଆଲୋଚନା କରିଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଶୁକ୍ରବାର କୁଲଡ଼ିହା ଅଭୟାରଣ୍ୟରେ ନିଆଁ ଲାଗିବା ସ୍ଥଳକୁ ଯାଇ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବେ ବୋଲି କୁଲଡ଼ିହା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Share