Categories: ଜାତୀୟ

କୁଲଗାମ୍‌ ଏନ୍‌କାଉଣ୍ଟର, ପାକିସ୍ତାନୀ ଆତଙ୍କବାଦୀ ବାବର ନିହତ, ଜଣେ ସୁରକ୍ଷାକର୍ମୀ ଶହୀଦ୍‌ …

ଶ୍ରୀନଗର, ୧୩।୧ : ଜମ୍ମୁ-କଶ୍ମୀରର କୁଲଗାମ୍‌ରେ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ମିଳିତ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ତାଙ୍କୁ ବାବର ଭାବେ ଚିହ୍ନଟ କରାଯାଇଛି। ସେ ୨୦୧୮ ଠାରୁ ଜମ୍ମୁ-କଶ୍ମୀରର ଶୋପିଆନ ଏବଂ କୁଲଗାମରେ ସକ୍ରିୟ ଥିଲେ। ତାଙ୍କ ପାଖରୁ ଗୋଟିଏ ରାଇଫଲ, ଗୋଟିଏ ପିସ୍ତଲ ଏବଂ ଦୁଇଟି ଗ୍ରେନେଡ ଜବତ କରାଯାଇଛି।

କଶ୍ମୀର ପୋଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ ଏହି ଏନକାଉଣ୍ଟରରେ ପୋଲିସ ଯବାନ ରୋହିତ ଛିବ ଶହୀଦ୍‌ ହୋଇଛନ୍ତି। ଏହା ସହିତ ୩ ସେନା କର୍ମଚାରୀ ଆହତ ହୋଇଛନ୍ତି। ଦୁଇଜଣ ସାଧାରଣ ନାଗରିକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ସେ ସୂଚନା ପ୍ରଦାନ କରିଛନ୍ତି।

ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ବାବର ବହୁ ଆକ୍ରମଣ ଦହିତ ଜଡ଼ିତଥିଲେ। ଖବର ମିଳିବା ପରେ ପୋଲିସ ଏବଂ ସେନାର ଯବାନମାନେ ମିଳିତ ଭାବେ କୁଲଗାମର ପରିଓ୍ବାନ ଗ୍ରାମରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଲୁଚିଥିବା ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ଆତଙ୍କବାଦୀମାନେ ପ୍ରଥମେ ମିଳିତ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା।

ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ନିହତ ଆତଙ୍କବାଦୀ ପାକିସ୍ତାନର ବାବର ଭାଇ ବୋଲି ସୂଚନା ପ୍ରଦାନ କରାଯାଇଛି।

୨୦୨୨ ବର୍ଷ ଆରମ୍ଭରୁ ଗତ ୧୩ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ଏପର୍ଯ୍ୟନ୍ତ ୯ ଥର ମୁହାଁମୁହିଁ ହୋଇଚନ୍ତି। ଏଥିରେ ଏନକାଉଣ୍ଟରରେ ୧୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ୫ ଜଣ ପାକିସ୍ତାନରୁ ଅସିଥିବା ଜଣାପଡ଼ିଛି।

ଗତ ୨୦୨୧ ବର୍ଷରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୧୭୧ ଆତଙ୍କବାଦୀ ନିହତ ହୋଇଥିଲେ। ଗତ ୧୩ ମାସ ମଧ୍ୟରେ, ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୧୮୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି।

Share