Categories: ଜାତୀୟ

କୁଲଗାମ୍‌ ଏନ୍‌କାଉଣ୍ଟର, ପାକିସ୍ତାନୀ ଆତଙ୍କବାଦୀ ନିହତ…

ଶ୍ରୀନଗର, ୮।୫ : ଜମ୍ମୁ-କଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ମିଳିତ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ରବିବାର ସକାଳ ୮ଟା ୫୦ରେ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ଅଛନ୍ତି। ତାଙ୍କୁ ହାଇଦର ଭାବେ ଚିହ୍ନଟ କରାଯାଇଛି। ସେହିପରି ଅନ୍ୟ ଜଣେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ଥିବା ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହାପୂର୍ବରୁ ଶନିବାର ସକାଳେ ଆତଙ୍କବାଦୀମାନେ ଜଣେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ।

ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପୋଲିସ କର୍ମଚାରୀଙ୍କର ଚିକିତ୍ସା ସମୟରେ ବିଳମ୍ବିତ ରାତିରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ସେ ପୋଲିସ କଣ୍ଟ୍ରୋଲ ରୁମ ହେଲ୍ପଲାଇନ ୧୧୨ ରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା, କିନ୍ତୁ ଆତଙ୍କବାଦୀଙ୍କୁ ମିଳି ନଥିଲେ।

ସଫାକଦଲ ଅଞ୍ଚଳର ଆଇୱା ବ୍ରିଜ ନିକଟରେ ଆତଙ୍କବାଦୀମାନେ ବାଇକ୍‌ରେ ଯାଉଥିବା କନଷ୍ଟେବଳ ଗୁଲାମ ହାସନଙ୍କୁ ଗୁଳି କରି ଥିଲେ। ଗୁଳି ଚଳାଇବା ମାତ୍ରେ ସେ ବାଇକରୁ ଖସିପଡିଥିଲେ। ଏହା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ।

ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶେର-ଇ-କାଶ୍ମୀର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ବିଭିନ୍ନ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୂଚନା ପାଇଥିଲେ।

Share