ନୂଆଦିଲ୍ଲୀ,୮।୪(ପି.ଟି.): ପ୍ରଥମ ଭାରତୀୟ ମହିଳା ସେଲର୍ (ନାବିକ) ଭାବେ ନେଥରା କୁମାନନ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏଥିସହିତ ଚେନ୍ନାଇର କୁମାନନ ବୁଧବାର ଇତିହାସ ସୃଷ୍ଟି କରିଛନ୍ତି। ଏ ନେଇ ଏସିଆନ ସେଲିଂ ଫେଡେରେଶନ (ଏଏସ୍ଏଫ୍) ଅଧ୍ୟକ୍ଷ ମାଲଭ ଶ୍ରୋଫ ସୂଚନା ଦେଇଛନ୍ତି। ଓମାନରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସର ଲାଜର ରାଡିକାଲ ଇଭେଣ୍ଟରେ କୁମାନନ ଶୀର୍ଷରେ ରହିବା ନିଶ୍ଚିତ ହୋଇଛି। ୨୩ ବର୍ଷୀୟା କୁମାନନ ନିକଟତମ ପ୍ରତିଯୋଗୀଙ୍କଠାରୁ ୨୧ ପଏଣ୍ଟ ଅଧିକ ପାଇ ଆଗରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ଅନ୍ୟତମ ଭାରତୀୟ ସେଲର ରାମ୍ୟା ସରଭାନନ। ଲାଜର ରାଡିଆଲ କ୍ଲାସ ଇଭେଣ୍ଟର ଆଉ ଏକ ରେସ୍ ଗୁରୁବାର ଆୟୋଜନ ହେବ।
ଇଭେଣ୍ଟ ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ କୁମାନନ ୧୮ ପଏଣ୍ଟ ପାଇଛନ୍ତି। ସେହିପିର ସରଭାନନ ୩୯ ପଏଣ୍ଟ ପାଇଛନ୍ତି। ମୁସାନାହ ଓପନ୍ ଚାମ୍ପିୟନଶିପ୍ ଭାବେ ଜଣାଥିବା ଏହି ଇଭେଣ୍ଟ ଏସିଆନ ଓ ଆଫ୍ରିକା ଅଲିମ୍ପିକ କ୍ୱାଲିଫାଇଂ ଇଭେଣ୍ଟ ବିବେଚିତ ହେଉଛି। ସେଲିଂରେ ଯେଉଁ ଖେଳାଳି ସବୁଠାରୁ କମ୍ ପଏଣ୍ଟ ପାଇବେ ସେମାନେ ପ୍ରତିଯୋଗିତା ଜିତିବାର ନିୟମ ରହିଛି। ଗୁରୁବାର ଆୟୋଜନ ହେବାକୁ ଥିବା ଫାଇନାଲ ରେସ୍ ହେଉଛି ୨୦ ପଏଣ୍ଟ ବିଶିଷ୍ଟ। ଆଉ ଗୋଟିଏ ରାଉଣ୍ଡ ବାକିଥିଲେ ମଧ୍ୟ କୁମାନନ ଶୀର୍ଷରେ ରହିବା ନିଶ୍ଚିତ ହୋଇସାରିଛି। ଲଜାର ରାଡିଆଲ ହେଉଛି ଏକ ସିଙ୍ଗଲ ହ୍ୟାଣ୍ଡେଡ୍ ବୋଟ୍। ଅର୍ଥାତ ଜଣେ ପ୍ରତିଯୋଗୀ ବୋଟ୍କୁ ଚଳାଇଥାନ୍ତି। ଏସିଆନ ସେଲିଂ ଫେଡେରେଶନ ଆନୁକୂଲ୍ୟରେ ଏହି ଇଭେଣ୍ଟ ଆୟୋଜନ ହେଉଛି।