ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ସଂସଦ ଭବନ ଆଗରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍ପି ରାଘବ ଚଢାକୁ ଏକ କାଉ ଖମ୍ପି ଦେଇଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ରାଘବଙ୍କୁ ଭାଜପାର କିଛି ନେତା ଟ୍ରୋଲ କରୁଛନ୍ତି। କିନ୍ତୁ ଏଏପି ନରେଶ ବାଲ୍ୟାନ ଏହି ଘଟଣାକୁ ନେଇ ଅଜବ ଯୁକ୍ତି ବାଢିଛନ୍ତି। ସେ କହିଛନ୍ତି, ବୋଧହୁଏ ଶ୍ରାବଣ ମାସରେ କୁମାର ବିଶ୍ୱାସ କାଉ ରୂପେ ଆସି ରାଘବ ଚଢାଙ୍କୁ ଖୁମ୍ପି ଦେଇଯାଇଛନ୍ତି।
ଉତ୍ତର ନଜର ବିଧାନସଭା ନିର୍ବାଚନମଣ୍ଡଳୀରୁ ଆମ ଆଦମୀ ପାର୍ଟିର ବିଧାୟକ ନରେଶ ବାଲ୍ୟାନ ରାଘବ ଚଢାଙ୍କୁ କାଉ ଖୁମ୍ପିବା ମାମଲା ସାମ୍ନାକୁ ଆସିବା ପରେ ସେ ନିଜ ଟୁଇଟ୍ରେ ଲେଖିଛନ୍ତି ଯେ, ଯୁବ କବି କୁମାର ବିଶ୍ୱାସ ରାଜ୍ୟ ସଭାରେ ପହଞ୍ଚି ପାରି ନ ଥିଲେ, ତେଣୁ ସେ ବେଶ ବଦଳାଇ ସଂସଦ ଭବନ ପରିସରରେ ପହଞ୍ଚିଛନ୍ତି। କାଉ ବେଶରେ ସେ ରାଘବଙ୍କୁ ଖୁମ୍ପି ଦେଇଛନ୍ତି।
ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନରେ ଭାଗ ନେବାକୁ ପାର୍ଲାମେଣ୍ଟ ଭବନକୁ ଆସୁଥିବାବେଳେ ରାଜ୍ୟ ସଭା ଏମ୍ପି ରାଘବ ଚଢାଙ୍କୁ କାଉ ଖୁମ୍ପି ଦେଇଥିଲା। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ ଯେ, ରାଘବ କାଉ ଆକ୍ରମଣରୁ ନିଜକୁ ରକ୍ଷା କରୁଛନ୍ତି। ଏଥିରେ ତାଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି। ଘଟଣାବେଳେ ରାଘବ ଫୋନରେ କଥା ହେଉଥିଲେ। ହଠାତ୍ ଉପରୁ ଏକ କାଉ ଆସି ତାଙ୍କ ମୁଣ୍ଡକୁ ଖୁମ୍ପି ଦେଇଥିଲା। ରାଘବ ଆଶ୍ଚର୍ଯ୍ୟ ହୋଇ ତଳକୁ ମୁଣ୍ଡ ନୁଆଁଇ ଦେଇଥିଲେ। ଫଟୋ ଭାଇରାଲ ପରେ ସୋସିଆଲ ମିଡିଆରେ ୟୁଜର୍ସ ରାଘବଙ୍କୁ ଟ୍ରୋଲ କରୁଛନ୍ତି।