Categories: ଜାତୀୟ

ନୃଶଂସ ହତ୍ୟାକାଣ୍ଡକୁ ନେଇ ଜଣେ ପିଶାଚ ହିଁ ଅଟ୍ଟହାସ୍ୟ କରିପାରେ: କୁମାର ବିଶ୍ୱାସ

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର ବିଧାନସଭାରେ ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି। ଏହି କ୍ରମରେ ଖ୍ୟାତନାମା ଲେଖକ ତଥା ଆପ୍‌ର ପୂର୍ବତନ ନେତା କୁମାର ବିଶ୍ୱାସ ଗୁରୁବାର ପ୍ରତିକ୍ରିୟା ରଖି କେଜ୍‌ରିଓ୍ବାଲଙ୍କୁ ଜଣେ ପିଶାଚ ବୋଲି କହିଛନ୍ତି।

ଟୁଇଟ୍‌ରରେ ଜଣେ ବ୍ୟକ୍ତି କୁମାର ବିଶ୍ୱାସଙ୍କୁ ଟ୍ୟାଗ୍‌ କରି କେଜ୍‌ରିଓ୍ବାଲ କରିଥିବା ଅଟ୍ଟହାସ୍ୟ ଉପରେ କି ପ୍ରତିକ୍ରିୟା ଦେବେ ବୋଲି ପଚାରିଥିଲେ। ଜବାବରେ କୁମାର ବିଶ୍ୱାସ କହିଛନ୍ତି, ‘କେବଳ ଜଣେ ପିଶାଚ ନିଜର ତୁଚ୍ଛ ରାଜନୈତିକ ଲାଭ ଉଠାଇବା ଲାଗି କ୍ଷୀର ଛାଡ଼ି ନ ଥିବା ଶିଶୁ, ଅସହାୟ ମହିଳା ଏବଂ ଶାନ୍ତିପ୍ରିୟ କଶ୍ମୀର ପଣ୍ଡିତମାନଙ୍କ ଉପରେ କରାଯାଇଥିବା ନୃଶଂସ ହତ୍ୟାକାଣ୍ଡ ଏବଂ ନିଜ ଦେଶରେ ନିର୍ବାସନର ଯନ୍ତ୍ରଣା ଭୋଗିଥିବା ଲୋକଙ୍କୁ ନେଇ ଅଟ୍ଟହାସ୍ୟ କରିପାରେ। ତେବେ କିଏ ତାହା କରିଥିଲା?’।

କହିରଖୁଛୁ, ଭାଜପା ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ କରିବା ଲାଗି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ କହୁ। ଏହାଦ୍ୱାରା ସମସ୍ତେ ମାଗଣାରେ ଫିଲ୍ମକୁ ଦେଖିପାରିବେ। ଫିଲ୍ମକୁ ଟିକସ ମୁକ୍ତ କରିବାକୁ ଦାବି କରାଯାଉଛି। ହେଲେ ୟୁଟ୍ୟୁବ୍‌ରେ ଅପ୍‌ଲୋଡ କରିଦେଲେ ସମ୍ପୂର୍ଣ୍ଣ ମାଗଣାରେ ଏହା ଲୋକଙ୍କ ପାଖରେ ପହଞ୍ଚିବ। ଏହାପରେ ଟିକସ ମୁକ୍ତ କରିବାର ଆବଶ୍ୟକତା କ’ଣ? କଶ୍ମୀର ପଣ୍ଡିତଙ୍କ ନାମରେ ଅନେକ ଲୋକ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ବୋଲି ବିଧାନସଭାରେ କେଜ୍‌ରିଓ୍ବାଲ କହିଥିଲେ ।

Share