ମୁମ୍ବାଇ: ପୁଣି ନିଜ ବୟାନକୁ ନେଇ ଚର୍ଚ୍ଚାରେ କବି କୁମାର ବିଶ୍ୱାସ। ନିକଟରେ ସେ ସୋନାକ୍ଷୀ ସିହ୍ନା ଏବଂ ଜାହିରଙ୍କ ବିବାହକୁ ନେଇ କଟାକ୍ଷ କରିଥିଲେ। ଏବେ ସେ ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି ଯେଉଁ ଆକ୍ରମଣକାରୀ ବଳାତ୍କାରୀ ଥିଲେ ତାଙ୍କ ଉପରେ ପୁଅଙ୍କ ନାମ ରଖିଥିବାରୁ କୁମାର ବିଶ୍ୱାସ କଟାକ୍ଷ କରିଛନ୍ତି।
କୁମାର ବିଶ୍ୱାସ ଉତ୍ତରପ୍ରଦେଶର ମୁରାଦାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ସେ କାହାର ନାମ ନ ନେଇ କରିନା କପୁର ଏବଂ ସୈଫ ଅଲ୍ଲି ଖାନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମାୟାନଗରୀ ମୁମ୍ବାଇରେ ବସିଥିବା ଜାଣିବା ଉଚିତ ଯେ ଦେଶ କ’ଣ ଚାହୁଁଛି। ତୁମେ ଟଙ୍କା ଏବଂ ଲୋକପ୍ରିୟତା ଭାରତର ଲୋକଙ୍କଠାରୁ ନେବ, ହେଲେ ଯେବେ ପିଲା ଜନ୍ମ ହେବେ ସେତେବେଳେ ତାଙ୍କ ନାମ ଆକ୍ରମଣକାରୀଙ୍କ ଉପରେ ରଖିଦେବ।ଏସବୁ ଚାଲିବ ନାହିଁ। ରିଜଓ୍ବାନ, ଉସ୍ମାନ ଭଳି ଅନେକ ନାମ ଅଛି, କ’ଣ କିଛି ବି ମିଳିଲା ନାହିଁ। ଯେଉଁ ଛୋଟା ବ୍ୟକ୍ତି(ଆକ୍ରମଣକାରୀ ତୈମୁର) ହିନ୍ଦୁସ୍ତାନ ଆସି ମା’ଭଉଣୀଙ୍କ ସହ ବଳାତ୍କାର କରିଥିଲେ। କ’ଣ ସେହି ବଦ୍ମାସ ମିଳିଥିଲା ଛୋଟିଆ ପିଲାଟିର ନାଁ ରଖିବା ଲାଗି। ଯଦି କେବେ ସେହି ପିଲାକୁ ହିରୋ କରାଯାଏ ତେବେ ଖଳନାୟକ ବି ହେବାକୁ ଦିଆଯିବ ନାହିଁ। ଭାରତ ଏବେ ଜାଗ୍ରତ ଅଛି, ଏହା ନୂଆ ଭାରତ ବୋଲି ସେ କହିଛନ୍ତି।
କହିରଖୁଛୁ, କୁମାର ବିଶ୍ୱାସ ଯଦିଓ ନିଜ ବୟାନରେ ସୈଫ ଅଲ୍ଲୀ ଖାନ୍ ଏବଂ ତାଙ୍କ ପୁଅ ତୈମୁରଙ୍କ ନା ନେଇ ନ ଥିଲେ, ହେଲେ ତାଙ୍କ କଥାରୁ ସେ ଯାହା କହିବାକୁ ଚାହୁଁଥିଲେ ସ୍ପଷ୍ଟ ହୋଇଥିଲା। ପୂର୍ବରୁ ମଧ୍ୟ ତୈମୁରଙ୍କ ଜନ୍ମ ବେଳେ ଏନେଇ ବିବାଦ ହୋଇଛି। ଅନେକ ଲୋକ ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି।