Categories: ଜାତୀୟ

କଟକଣା ମଧ୍ୟରେ ହେବ କୁମ୍ଭମେଳା

ନୂଆଦିଲ୍ଲୀ,୧୯।୯(ପି.ଟି.): ୨୦୨୧ ଜାନୁୟାରୀରୁ ଏପ୍ରିଲ ପର୍ଯ୍ୟନ୍ତ ହରିଦ୍ୱାରରେ ହେବ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା। ତେବେ କରୋନା ମହାମାରୀ ସମୟରେ ଏତେବଡ଼ ଧାର୍ମିକ ସମାବେଶକୁ କିପରି ଅନୁମତି ଦିଆଯିବ ସେନେଇ ଉତ୍ତରାଖଣ୍ଡ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ବରିଷ୍ଠ ଅଧିକାରୀ, ସନ୍ଥ ସମାଜ ଓ ବିଭିନ୍ନ ଆଖଡ଼ାର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ କୁମ୍ଭମେଳାରେ ପୂର୍ବ ବର୍ଷଗୁଡ଼ିକ ଭଳି ସବୁଲୋକଙ୍କୁ ଅନୁମତି ନ ଦେଇ ସ୍ବଳ୍ପ ଲୋକ ତଥା ସାଧୁସନ୍ଥଙ୍କୁ ଅନୁମତି ପୂର୍ବକ ପରାମ୍ପରା ନିର୍ବାହ ଲାଗି ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ଯେଉଁମାନେ କୁମ୍ଭମେଳାକୁ ଯିବେ ସେମାନେ ପୂର୍ବରୁ ପାସ୍‌ ନେବାକୁ ହେବ। ସେହିପରି ସ୍ନାନ ସମୟରେ କୋଭିଡ୍‌ କଟକଣାକୁ ପାଳନ କରିବା ଉପରେ ଧ୍ୟାନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଲୋକେ କୁମ୍ଭସ୍ନାନକୁ ଟିଭି ମାଧ୍ୟମରେ ଦେଖିବାକୁ ସଚେତନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସନ୍ଥ ସମାଜ ପକ୍ଷରୁ ସ୍ବାଗତ କରାଯାଇଛି।

Share