ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ। ଏହା ଯୋଗୁ ଲୋକେ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ହେଉଥିଲେ। ହେଲେ ସମୟ ବଦଳିବା ସାଙ୍ଗକୁ ନଈର ନକ୍ସା ବି ବଦଳି ଯାଇଛି। ତିହିଡ଼ି ବ୍ଲକର ୫ ପଞ୍ଚାୟତ ଦେଇ ଯାଇଥିବା ଏହି ନଦୀ ଏବେ ବିଭିନ୍ନ ସ୍ଥାନରେ ପୋତି ହୋଇପଡ଼ିଥିବା ବେଳେ ଦଳ ଓ ଘାସରେ ପରିପୂର୍ଣ୍ଣ। ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ନଈ ଭଦ୍ରକ ବେନ୍ତାଳ ଠାରେ ସାଳନ୍ଦୀ ନଦୀରୁ ବାହାରି ତିହିଡ଼ି ବ୍ଲକର କାହାକୁଲାଠାରେ ମନ୍ତେଇ ନଦୀରେ ମିଶିଛି। ଭଦ୍ରକ ବ୍ଲକର କେଦାରପୁର, ବରହମପୁର, ତିହିଡ଼ି ବ୍ଲକର ଦୋଳସାହି, ନୂଆନନ୍ଦ, ପାଳିଆବିନ୍ଧା, ଅଚକ, ସୟା ଓ ବାସୁଦେବପୁର ବ୍ଲକର ହରିପୁର, ପଦ୍ମପୁର ପଞ୍ଚାୟତ ମଧ୍ୟ ଦେଇ ଏହି ନଦୀ ଗତି କରିଛି। ଏସବୁ ପଞ୍ଚାୟତର ଅଧିବାସୀମାନେ ନଦୀ ପାଇଁ ବିଶେଷ ଉପକୃତ ହେଉଥିଲେ। ବିଭିନ୍ନ ପନିପରିବା ଚାଷ ସହ ରବି ଧାନ କରିବାକୁ ଚାଷୀମାନେ ସକ୍ଷମ ହେଉଥିଲେ। ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏହି ନଦୀ ପାଇଁ ସବୁଜିମାରେ ଭରି ଉଠୁଥିଲା। ସମୟାନୁକ୍ରମେ ନଦୀ ଉଭୟ ପାର୍ଶ୍ୱରୁ ପୋତି ହେବା ଆରମ୍ଭ ହୋଇଥିଲା। ଫଳରେ ନଦୀର ଗଭୀରତା ମଧ୍ୟ କମି ଯାଇଥିଲା। କିଛି ସ୍ଥାନରେ ଅଧାରୁ ଅଧିକ ପୋତି ହୋଇପଡ଼ିଛି। ଏହାର ପୁନରୁଦ୍ଧାର ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। କିଛି ବର୍ଷ ପୂର୍ବେ ନଦୀକୁ କେତେକ ସ୍ଥାନରେ ଖୋଳାଯାଇଥିଲା। ମାତ୍ର କାର୍ଯ୍ୟ ସନ୍ତୋଷଜନକ ହୋଇ ନ ଥିବାରୁ ନଦୀ ପୂର୍ବ ଅବସ୍ଥାରେ ଅର୍ଥାତ୍‌ ପୋତି ହୋଇପଡ଼ିଛି। ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ନଦୀର ସଂସ୍କାର ପାଇଁ ଦାବି ହୋଇଥିଲେ ମଧ୍ୟ ତାହା ପୂରଣ ହୋଇପାରି ନାହିଁ। ଏ ସମ୍ପର୍କରେ ଡ୍ରେନେଜ ବିଭାଗ ଏସ୍‌ଡିଓ ଜ୍ଞାନଦତ୍ତ ରାଉତଙ୍କୁ ପଚାରିବାରୁ ଉକ୍ତ ନଦୀର ପୁନରୁଦ୍ଧାର ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି, ଅନୁମୋଦନ ମିଳିଲେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

Share