ଗାଁ ସମସ୍ୟା ଜଣାଇଲେ କୁନି କଳାକାର

କୋରାପୁଟ,୧୭ା୮(ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଆୟୋଜିତ ୭୭ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ଫ୍ୟାନ୍‌ସି ଡ୍ରେସ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଖୁଣ ଅଭିନୟ ମାଧ୍ୟମରେ ନିଜ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଜଣାଇଛନ୍ତି ଜଣେ କୁନି ଝିଅ। ସେ ହେଲେ ପଦୁଗୁଡା ଗ୍ରାମର ଦେବୀ ପ୍ରସାଦ ଦାସଙ୍କ ୪ ବର୍ଷର ଝିଅ ସୋନାଲି ଦାସ। ସେ କୋରାପୁଟରେ ନର୍ସରିରେ ପଢୁଥିବା ଜଣାପଡିଛି।
କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ପଦୁଗୁଡା ଗ୍ରାମର ଗ୍ରାମବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହି ଆସୁଛନ୍ତି l ଗାଁଟି ପଞ୍ଚାୟତ କାର୍ଯ୍ୟାଳୟଠାରୁ ୩ କି.ମି.ଦୂର ହୋଇଥିଲେ ମଧ୍ୟ ଗ୍ରାମକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ l ଗ୍ରାମବାସୀ ୨ଟି ପାହାଡ଼ର ପାଦଚଲା ରାସ୍ତା ଦେଇ ଯାତାୟାତ କରୁଛନ୍ତି l ଯଦି କୌଣସି ଗୁରୁତର ରୋଗୀଙ୍କୁ ମେଡିକାଲ ନେବାକୁ ହୁଏ ତେବେ ଖଟିଆ ହିଁ ଭରସା। ରୋଗୀଙ୍କୁ ଖଟିଆରେ ୩ କି.ମି. ଲୁଲ୍ଲା ପଞ୍ଚାୟତକୁ ଆଣିବା ପରେ ଡାକ୍ତରଖାନା ନିଆଯାଏ। ଗ୍ରାମରେ ପାନୀୟ ଜଳ ସମସ୍ୟା ମଧ୍ୟ ରହିଛି।

ନଳକୂପ ନ ଥିବା ଯୋଗୁ ଗ୍ରାମବାସୀ ଚୁଆ ପାଣି ବ୍ୟବହାର କରୁଛନ୍ତି l ଗ୍ରାମର ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ ଏବଂ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା l ଗ୍ରାମରେ ଲାଗି ରହିଥିବା ସମସ୍ୟାକୁ ନିଜେ ଉପଲବ୍ଧି କରି ସୋନାଲି ସ୍ବାଧୀନତା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା କୃଷି, କୃଷକ ସଶକ୍ତୀକରଣ ଓ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ନିଜ ନିଖୁଣ ଅଭିନୟ ମାଧ୍ୟମରେ ଗ୍ରାମର ଦୁଃଖ ଜଣାଇଥିଲେ।

ମଞ୍ଚରେ ମନ୍ତ୍ରୀଙ୍କ ସମେତ ଜିଲାପାଳ, ଡିଆଇଜି, ଏସ୍‌ପି, ବିଧାୟକ, ଦଳୀୟ କର୍ମୀଙ୍କ ସହ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ l ନିଜ ଗ୍ରାମର ସମସ୍ୟାକୁ ଅଭିନୟ ମାଧ୍ୟମରେ ସର୍ବ ସମ୍ମୁଖକୁ ଆଣିଥିବାରୁ କୁନି ଝିଅ ସୋନାଲି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି।

Share