ପିସିସି ସଭାପତି, ପ୍ରଭାରୀଙ୍କ କୁଶପୁତ୍ତଳିକା ପୋଡ଼ିଲେ

କଟକ,୯।୬(ଶିଳ୍ପା ପ୍ରିୟଦର୍ଶିନୀ)କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ଶୁକ୍ରବାର ଦଳରୁ ନିଲମ୍ବନ କରାଯାଇଛି। ଏହାକୁ କଟକ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଜିଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତଙ୍କ ନେତୃତ୍ୱରେ ଶନିବାର ପୂର୍ବାହ୍ନରେ ଶତାଧିକ ଯୁବ-ଛାତ୍ର କର୍ମୀ କଟକ ଲିଙ୍କ୍‌ରୋଡ୍‌ଠାରେ ଏକତ୍ରିତ ହୋଇ ନିଲମ୍ବନର ପ୍ରତିବାଦ କରିବା ସହ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ମାନସ ବିଭିନ୍ନ ସମୟରେ କଂଗ୍ରେସର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବା ସହ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଦସ୍ୟ ଓ କଟକ ଜିଲା କଂଗ୍ରେସ ସଭାପତି ଥିଲେ। ଦଳ ପ୍ରତି ତାଙ୍କର ବହୁ ଅବଦାନ ରହିଛି। ହେଲେ ହଠାତ୍‌ କିଛି କାରଣ ନ ଥାଇ କେବଳ ଅସହିଷ୍ଣୁତା ହୋଇ ତାଙ୍କୁ ନିଲମ୍ବନ କରାଯାଇଛି। ଏପରି କି ନିଲମ୍ବନ ଅଗଣତାନ୍ତ୍ରିକ ଓ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଆଶୁତୋଷ କହିଛନ୍ତି, ମାନସ ଚୌଧୁରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିଲମ୍ବନ କରାଯାଇଛି। ତାଙ୍କ ଉପରୁ ତୁରନ୍ତ ନିଲମ୍ବନ ପ୍ରତ୍ୟାହୃତ କରାଯିବା ସହ ନୈତିକତା ଦୃଷ୍ଟିରୁ ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀ ଇସ୍ତଫା ଦେବାକୁ ଦାବି କରୁଛୁ। ତୁରନ୍ତ ନିଲମ୍ବନ ନ ହଟାଇଲେ ଜିଲାବ୍ୟାପୀ ଆନ୍ଦୋଳନ କରାଯିବା ସହ କଂଗ୍ରେସରୁ ବହୁ କାର୍ଯ୍ୟକର୍ତ୍ତା ସମୂହ ଇସ୍ତଫା ଦେବେ ବୋଲି ରାଉତ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଦାଶିବ ବାରିକ, ସୌମ୍ୟରଞ୍ଜନ ପ୍ରଧାନ, ଶରତ ଜେନା, ଇମ୍ରାନ୍‌ ଖାନ୍‌, ଶୁଭାଶିଷ ରାଉତ, ନିର୍ମଳ ସାମଲ, ନିତ୍ୟାନନ୍ଦ ମଲ୍ଲିକ, ରାକେଶ ବାରିକ, ରାକେଶ କୁମାର ପତି, ପ୍ରଦୀପ ରାଉତଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦଳବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଅନୁମୋଦନକ୍ରମେ ପିସିସି ସଭାପତି ଶରତ ପଟ୍ଟନାୟକ ଦଳରୁ ମାନସଙ୍କୁ ନିଲମ୍ବନ କରିଛନ୍ତି।

Share