Advertisement

ଅବହେଳିତ ସ୍ବାଧୀନତା ସଂଗ୍ରାମୀ ଗାଁ କୁଶିବିଡ଼ା

ନୂଆଗାଁ,୩।୧୦ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ କୁଶିବିଡା ଅବହେଳିତ ହୋଇ ରହିଛି। ସ୍ବାଧୀନତା ସଂଗ୍ରାମୀଙ୍କ ଉତ୍ତରାଧିକାରୀମାନେ ଅବ୍ୟବସ୍ଥା ତଥା ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଏହା ଉପଲବ୍ଧି କରି ରାଜନେତାମାନେ ଅବହେଳିତ କୁଶିବିଡା ଗ୍ରାମ ଓ ସ୍ବାଧୀନତା ସଂଗ୍ରାମୀଙ୍କ ଉତ୍ତରାଧିକାରୀଙ୍କ ବିକାଶ କରିବା ଉଦ୍ଦେଶ୍ୟରେ ଅନେକ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇ ନ ଥିବା ଗ୍ରାମବାସୀ କହିଛନ୍ତି।
ଦେଶକୁ ସ୍ବାଧୀନତା ଆଣିବାରେ ନୂଆଗାଁ ବ୍ଲକର ଅନେକ ସଂଗ୍ରାମୀ ଜୀବନ ଦେଇଥିଲେ। ସେଥିମଧ୍ୟରୁ ଜାକେଡା ପଞ୍ଚାୟତ କୁଶିବିଡା ଗ୍ରାମର କଷ୍ଟି ଡାକୁଆ ଅନ୍ୟତମ। ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଇଂରେଜମାନଙ୍କୁ ଘଉଡାଉ ଥିବା ସମୟରେ ଦାରୋଗାଙ୍କ ଗୁଳିରେ କଷ୍ଟି ଡାକୁଆ ଶହୀଦ୍‌ ହୋଇଥିଲେ। ଦେଶ ପାଇଁ ସ୍ବାଧୀନତା ଆଣି ଦେଇଥିବା ସଂଗ୍ରାମୀଙ୍କ ଉତ୍ତରାଧିକାରୀ ଓ ଶହୀଦଙ୍କ ଗାଁ ଅବହେଳିତ ହୋଇ ରହିଛି। ଏପରିକି ସେହି ଶହୀଦ୍‌ଙ୍କ ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ପ୍ରତି ବର୍ଷ ଅକ୍ଟୋବର ୧୦ ତାରିଖ ହେଲେ ଶହୀଦ ଦିବସ ପାଳନ କରିବା ପାଇଁ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ପାଦ ପଡ଼େ କୁଶିବିଡା ଗାଁରେ। ଶହୀଦଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ପକାଇ ଭାଷଣ ମାଧ୍ୟମରେ ଦେଇ ଚାଲନ୍ତି ମାଳ ମାଳ ପ୍ରତିଶ୍ରୁତି। କିନ୍ତୁ ଆଉ ସେମାନଙ୍କ ଦେଖା ମିଳେନି। ଅବହେଳିତ କୁଶିବିଡା ଗାଁ ଓ ସ୍ବାଧୀନତା ସଂଗ୍ରାମୀଙ୍କ ଉତ୍ତରାଧିକାରୀଙ୍କ ବିକାଶ ପାଇଁ ୨୦୨୧ ଅକ୍ଟୋବର ୧୦ ଶହୀଦ୍‌ ଦିବସରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କୁଶିବିଡା ଗ୍ରାମକୁ ପୌଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ସହ ଉକ୍ତ ଗ୍ରାମରେ ଏକ ତୋରଣ, ପକ୍କା ରାସ୍ତା ଓ ଡ୍ରେନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ କରାଯାଇ ନ ଥିବା ଅଭିଯୋଗ କରିଛନ୍ତି କଷ୍ଟି ଡାକୁଆଙ୍କ ନାତି କୁବେର ଡାକୁଆ। ସେହିଭଳି କଷ୍ଟି ଡାକୁଆଙ୍କ ନାମ ନେଇ ଅନେକ ପ୍ରକଳ୍ପ, କାର୍ଯ୍ୟ କରାଯାଉଥିଲେ ମଧ୍ୟ କୌଣସି ନେତା କି ଅଧିକାରୀ ଆମର ବିକାଶ କଥା ଚିନ୍ତା କରୁ ନାହାନ୍ତି ବୋଲି କହିଛନ୍ତି କଷ୍ଟି ଡାକୁଆଙ୍କ ନାତି ଗୋପିନାଥ ଡାକୁଆ, ବିନୋଦ ଡାକୁଆ ଓ ଗୋବିନ୍ଦ ଡାକୁଆ। ଏ ସମ୍ପର୍କରେ ଦଶପଲ୍ଲା ବିଧାୟକ ବେହେରାଙ୍କୁ ପଚାରିବାରେ ରାସ୍ତା ନିର୍ମାଣ ଅନୁମୋଦନ ପାଇଁ ପଠାଯାଇଛି। ପର୍ଯ୍ୟାୟକ୍ରମେ କାମ କରାଯିବ। ସେହିଭଳି ଅନ୍ୟ କାମ କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share