Categories: ଜାତୀୟ

କୁଶଓ୍ବାହାଙ୍କ ପାର୍ଟି ଜେଡ଼ିୟୁରେ ବିଲୟ

ପାଟନା,୧୪।୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶଓ୍ବାହାଙ୍କ ରାଜନୈତିକ ଦଳ ରାଷ୍ଟ୍ରୀୟ ଲୋକସମତା ପାର୍ଟିର ବିଲୟ ଜନତାଦଳ ୟୁନାଇଟେଡ୍‌ ( ଜେଡ଼ିୟୁ)ରେ ହୋଇଛି। ଏନେଇ ଔପଚାରିକ ଭାବେ ଘୋଷଣା କରାଯାଇଛି। ବିହାର ବିଧାନସଭା ନିର୍ବାଚନରେ ଉଭୟ ଦଳ ଅଲଗା ଅଲଗା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଗଠନ ହେବାର କିଛି ମାସ ମଧ୍ୟରେ ଏବେ ଦୁଇ ଦଳ ମିଶି ଯାଇଛନ୍ତି। ଏହା ଦ୍ୱାରା ରାଷ୍ଟ୍ରୀୟ ଲୋକସମତା ପାର୍ଟି ସବୁଦିନ ପାଇଁ ଏବେ ହଜିଯାଇଛି। ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମନିରପେକ୍ଷତାକୁ ବଜାୟ ରଖିବା ଲାଗି ତଥା ସମାଜର ପଛୁଆ ବର୍ଗଙ୍କୁ ସେମାନଙ୍କର ନାର୍ଯ୍ୟ ଅଧିକାର ପ୍ରଦାନ କରିବା ଲାଗି ଏଭଳି ନିଷ୍ପତ୍ତି ସେ ଗ୍ରହଣ କରିଥିବା କୁଶଓ୍ବାହା କହିଛନ୍ତି। ବିହାରର ଜନସାଧାରଣଙ୍କର ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ବିଚାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share