କୁଳିଆ ବଜାର ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ପୁତୁରା ସମେତ ୫ ଗିରଫ

ସାଲେପୁର/ନିଶ୍ଚିନ୍ତକୋଇଲି, 8।୧୦ (ଅରବିନ୍ଦ ଭୂୟାଁ/ଅଶୋକ ମହାପାତ୍ର)ସାଲେପୁର ଥାନା ଅନ୍ତର୍ଗତ କୁଳିଆ ବଜାର ପୋଲ ନିକଟରେ ଚା’ ଏବଂ ଜଳଖିଆ ଦୋକାନ କରିଥିବା ଦମ୍ପତିଙ୍କୁ ୪ ତାରିଖ ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଫଳରେ ହରେକୃଷ୍ଣ ପୃଷ୍ଟିଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଅନ୍ନପୂର୍ଣ୍ଣା ପୃଷ୍ଟି ଗୁରୁତର ହୋଇଥିଲେ। ଶନିବାର ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ହରେକୃଷ୍ଣଙ୍କ ପୁତୁରା ତଥା କୁଳିଆ ଗ୍ରାମର ଭରତ ପୃଷ୍ଟି, ସହଯୋଗୀ ଦୀପକ ବେହେରା, ରବୀନ୍ଦ୍ର ସାହୁ ଏବଂ ଅଢ଼ଙ୍ଗା ଗ୍ରାମର ଲକ୍ଷ୍ମୀଧର ସାହୁ, ବୀରକିଶୋର ସାହୁ । ପୂର୍ବ ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ କରାଯାଇଥିଲା ବୋଲି ଶନିବାର ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି. କୃଷ୍ଣପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏଥିରେ ବ୍ୟବହୃତ ୨ ଟାଙ୍ଗିଆକୁ ଜବତ କରାଯାଇଛି।
ତାଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଘଟଣା ଦିନ ରାତିରେ କୁଳିଆ ବଜାରରେ ଥିବା ଏକ ପରିବା ଦୋକାନ ପଛପଟେ ଫିଷ୍ଟ କରି ଖାଇବା ପରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଭରତ ଓ ଲକ୍ଷ୍ମୀଧର ନିଜ ଘରୁ ଟାଙ୍ଗିଆ ଆଣି ଅନ୍ୟ ୩ ସହଯୋଗୀଙ୍କ ସହ ମିଶି ଜଳଖିଆ ଦୋକାନର ପାଲ ଟେକି ଭିତରେ ପଶିଥିଲେ। ହରେକୃଷ୍ଣ ଓ ଅନ୍ନପୂର୍ଣ୍ଣା ରାତିରେ ସବୁଦିନ ପରି ଉକ୍ତ ଦୋକାନ ଘରେ ଶୋଇଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ଏହି ସମୟରେ ଟାଙ୍ଗିଆରେ ଆକ୍ରମଣ କରି ହରେକୃଷ୍ଣଙ୍କ ହତ୍ୟା କରିଥିଲେ। ଆକ୍ରମଣରେ ଅନ୍ନପୂର୍ଣ୍ଣା ଗୁରୁତର ହୋଇ ଅଚେତ ହୋଇଯିବାରୁ ଅଭିଯୁକ୍ତମାନେ ତାଙ୍କୁ ମୃତ ବୋଲି ଭାବି ସେଠାରୁ ପଳାଇଯାଇଥିଲେ। ପରଦିନ ସକାଳୁ ସ୍ଥାନୀୟ ଲୋକେ ଚା’ପିଇବାକୁ ହରେକୃଷ୍ଣଙ୍କୁ ଦୋକାନକୁ ଆସିଥିଲେ। ଲୋକେ ଡାକିଲା ବେଳକୁ କୌଣସି ଉତ୍ତର ମିଳି ନ ଥିଲା। ସେମାନେ ଜରିପାଲ ଟେକି ଦେଖିବାବେଳକୁ ହରେକୃଷ୍ଣଙ୍କୁ ମୃତ ଓ ଅନ୍ନପୂର୍ଣ୍ଣାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପାଇଥିଲେ। ତୁରନ୍ତ ଅନ୍ନପୂର୍ଣ୍ଣାଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରିବା ସହ ଥାନାରେ ମାମଲା (ନଂ.୩୩୧/୨୩) ରୁଜୁ କରି ତଦନ୍ତ ଜାରି ରଖିଥିଲା।

Share