Categories: ଜାତୀୟ

କୁଏଟ୍‌ ବିଲ୍ଡିଂ ନିଆଁରେ ଓଡ଼ିଆ ଯୁବକ ମୃତ

ନୂଆଦିଲ୍ଲୀ, ୧୪।୬ (ପି.ଟି.): କୁଏଟ୍‌ର ଅଲ୍‌-ମନ୍‌ଗଫ୍‌ ସିଟିସ୍ଥିତ ଏକ ବିଲ୍ଡିରେ ବୁଧବାର ନିଆଁ ଲାଗିବାରୁ ୪୫ ଜଣ ଭାରତୀୟ ଶ୍ରମିକ ପ୍ରାଣ ହରାଇଛନ୍ତି। ଭାରତୀୟ ମୃତକଙ୍କ ଶବକୁ ଫେରାଇ ଆଣିବାକୁ ଗୁରୁବାର ରାତିରେ ବାୟୁସେନାର ସି-୧୩୦ଜେ ପରିବହନ ବିମାନକୁ କୁଏଟ୍‌ ପଠାଯାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଶୁକ୍ରବାର ବାୟୁସେନାର ଏହି ବିମାନ ସମସ୍ତ ଭାରତୀୟ ମୃତଦେହକୁ ଆଣି ପ୍ରଥମେ କେରଳର କୋଚିରେ ଲ୍ୟାଣ୍ଡ୍‌ କରିବ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଗୁରୁବାର କୁଏଟ୍‌ ଗସ୍ତ କରିଛନ୍ତି। ସେ କୁଏଟ୍‌ର ବହିର୍ବ୍ୟାପାର ମନ୍ତ୍ରୀ ଅବଦୁଲ୍ଲାହ ଅଲି ଅଲ୍‌ ୟାହୟାଙ୍କ ସହ ଦୁର୍ଘଟଣାରେ ଆହତ ଭାରତୀୟଙ୍କ ଚିକିତ୍ସା ନେଇ ଆଲୋଚନା କରିଛନ୍ତି।

କୁଏଟ୍‌ ବିଲ୍ଡିଂ ଅଗ୍ନିକାଣ୍ଡରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଟକ ଜିଲା ତିଗିରିଆ ଥାନା କରଡ଼ାପଲ୍ଲୀ ଗ୍ରାମର ମହମ୍ମଦ ଜହୁର(୩୩)। ଗ୍ରାମର ସମସୁର ମହମ୍ମଦଙ୍କ ୩ୟ ପୁତ୍ର ମହମ୍ମଦ ଜହୁର ଦକ୍ଷିଣ କୁଏଟ୍‌ର ଅଲ୍‌-ମନ୍‌ଗଫ୍‌ ସହରର ଏକ କମ୍ପାନୀରେ ସିବିଲ ଲାବୋରୋଟାରି ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ। ବୁଧବାର ଭୋରରେ ହଠାତ୍‌ ଅଗ୍ନିକାଣ୍ଡ ଘଟିବାରୁ ଜହୁର ପ୍ରବଳ ଧୂଅଁାରେ ଅଣନିଃଶ୍ୱାସୀ ହୋଇ ଗୁରୁତର ହୋଇଯାଇଥିଲେ। ଦମକଳ ବାହିନୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜହୁରଙ୍କ ସ୍ତ୍ରୀ ଏବେ ୭ ମାସର ଗର୍ଭବତୀ ଅଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

Share