Categories: ଖେଳ

ଶେଷ ଲିଗ୍‌ ମ୍ୟାଚ୍‌ରେ କୁଏଟ୍‌ ଚ୍ୟାଲେଞ୍ଜ

ବେଙ୍ଗାଲୁରୁ, ୨୭।୬(ପି.ଟି.): ବେଙ୍ଗାଲୁରୁର କାନ୍ତିରାବା ଷ୍ଟାଡିୟମରେ ଅନୁଷ୍ଠିତ ସାଫ୍‌ ଚାମ୍ପିୟନଶିପ୍‌ ୨୦୨୩ରେ ଗ୍ରୁପ୍‌ ଏ’ରେ ଭାରତ ନିଜର ଅନ୍ତିମ ମ୍ୟାଚ୍‌ ଖେଳିବ। ମଙ୍ଗଳବାର କୁଏଟ୍‌ ବିପକ୍ଷରେ ଦଳ ଏହାର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବ। ଉଭୟ ଦଳ ସେମି ଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ବିଜୟୀ ହୋଇ ମନସ୍ତାତ୍ତ୍ୱିକ ଫାଇଦା ହାସଲ ପାଇଁ ଭାରତ ପ୍ରୟାସ କରିବ। ଦୁଇଟି ଲେଖାଏ ମ୍ୟାଚ୍‌ ଖେଳି ଉଭୟ ଦଳ ୬ ପଏଣ୍ଟ ଲେଖାଏ ଅର୍ଜନ କରିଥିବା ବେଳେ ଗୋଲ ବ୍ୟବଧାନ ଆଧାରରେ କୁଏଟ୍‌ ପ୍ରଥମ ସ୍ଥାନରେ ରହିଛି। ପାକିସ୍ତାନକୁ ୪-୦ ଓ ନେପାଳକୁ ୨-୦ରେ ପରାସ୍ତ କରିଥିଲା ଭାରତ। ଉଭୟ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଥିବା ବେଳେ କୁଏଟ୍‌ ବିପକ୍ଷ ମ୍ୟାଚରେ ଭାରତକୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ଦଳ ଅଦ୍ୟାବଧି ଗୋଟିଏ ବି ଗୋଲ ବରଣ କରି ନ ଥିବା ବେଳେ ଡିଫେନ୍ସରେ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏହାର ମିଡଫିଲ୍ଡର ଓ ଫରଓ୍ବାର୍ଡ ଲାଇନରେ ଖେଳାଳିଙ୍କୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ପଡିବ।
ନେପାଳ ଭଳି ଦୁର୍ବଳ ଦଳ ବିପକ୍ଷରେ ଭାରତ ମ୍ୟାଚ୍‌ର ୬୦ ମିନିଟ ଗୋଲ ଶୂନ୍ୟ ରହିଥିଲା। ଏପରି ସ୍ଥଳେ କୁଏଟ୍‌ର ରକ୍ଷଣଭାଗ ଅଧିକ ଦୃଢ ମନେ ହୁଏ। ଏହା ଭାରତୀୟ ଦଳ ପାଇଁ ବିପଦ ସୃଷ୍ଟି କରିପାରେ। ଭାରତୀୟ ଫରଓ୍ବାର୍ଡ ଲାଇନରେ ଅଧିନାୟକ ସୁନୀଲ ଛେତ୍ରୀ ଚମତ୍କାର ଫର୍ମରେ ରହିଛନ୍ତି। ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ ସହିତ ନେପାଳ ବିପକ୍ଷରେ ସେ ପ୍ରଥମେ ସ୍କୋର କରିଥିଲେ। ତେବେ ଛେତ୍ରୀଙ୍କ ଉପରୁ ଚାପ ହ୍ରାସ କରିବା ପାଇଁ ଅନ୍ୟ ଭାରତୀୟ ଖେଳାଳିଙ୍କୁ ସ୍କୋର କରିବାକୁ ହେବ ବୋଲି କହିଛନ୍ତି ଫରଓ୍ବାର୍ଡ ଖେଳାଳି ସହଲ ଅବଦୁଲ ସମଦ। ଅନ୍ୟପକ୍ଷରେ କୁଏଟ୍‌ ଓ ଭାରତ ୩ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧-୨ରେ ପଛୁଆ ରହିଛି। ବେଙ୍ଗାଲୁରୁକୁ ଆସିବା ପୂର୍ବରୁ କୁଏଟ୍‌ ଦଳ ଆଫ୍ରିକୀୟ ଦଳଙ୍କ ସହିତ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲା; ଯାହା ବେଶ୍‌ ସହାୟକ ହୋଇଛି ବୋଲି କହିଛନ୍ତି କୋଚ୍‌ ରୁଇ ବେଣ୍ଟୋ। ପାକିସ୍ତାନକୁ ଆମେ ୪-୦ରେ ହରାଇଥିବା ବେଳେ ନେପାଳକୁ ଦଳ ୩-୧ରେ ପରାସ୍ତ କରିଥିଲା। ତେବେ ଭାରତୀୟ ଆର୍ଦ୍ର ପରିବେଶ ବେଶ୍‌ ଚ୍ୟାଲେଞ୍ଜିଂ ରହିଥିବା ପ୍ରକାଶ କରିଛନ୍ତି କୁଏଟ୍‌ କୋଚ୍‌।

Share