କୁଏଟ୍‌ ସୁପର ମାର୍କେଟରୁ ହଟିଲା ଭାରତୀୟ ସାମଗ୍ରୀ

କୁଏଟ ସିଟି/ନୂଆଦିଲ୍ଲୀ, ୬ା୬: ଭାଜପା ନେତ୍ରୀ ନୂପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲ ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ମୁସ୍‌ଲିମ୍‌ ରାଷ୍ଟ୍ରଗୁଡ଼ିକରେ ବିରୋଧ ତୀବ୍ର ହେବାରେ ଲାଗିଛି। କାତାର, କୁଏଟ୍‌, ଇରାନ, ସାଉଦିଆରବ, ପାକିସ୍ତାନ, ଆଫଗାନିସ୍ତାନ, ବାହାରିନ୍‌, ମାଳଦ୍ୱୀପ, ଓମାନ ଆଦି ଦେଶ ସମେତ ୫୭ ମୁସଲିମ୍‌ ରାଷ୍ଟ୍ର ସମୂହର ଅର୍ଗାନାଇଜେଶନ ଅଫ୍‌ ଇସ୍‌ଲାମିକ୍‌ କର୍ପୋରେଶନ(ଓଆଇସି) ନୂପୁରଙ୍କ ମନ୍ତବ୍ୟକୁ ଘୋର ନିନ୍ଦା କରିଛି। ଫଳରେ ଭାରତ ଉପରେ କୂଟନୈତିକ ସ୍ତରରେ ଚାପ ବଢ଼ିବାରେ ଲାଗିଛି। ଇସ୍‌ଲାମୀୟ ଦେଶଗୁଡ଼ିକର ବଜାରରେ ଭାରତୀୟ ସାମଗ୍ରୀ ବର୍ଜନ ପାଇଁ ଦାବି ଉଠଛି। କୁଏଟ୍‌ର ଏକ ସୁପରମାର୍କେଟରୁ ଭାରତୀୟ ଜିନିଷକୁ ହଟାଇଦିଆଯାଇଛି। ଅଲ୍‌-ଆର୍‌ଦିଆ କୋଅପରେଶନ ସୋସାଇଟି ଷ୍ଟୋରରେ ଭାରତୀୟ ଚା ଏବଂ ଅନ୍ୟ ସାମଗ୍ରୀକୁ ଟ୍ରଲିରେ ଭର୍ତ୍ତି କରି ବାହାର କରି ଦିଆଯାଇଛି। ବିଭିନ୍ନ ଜିନିଷ ଉପରେ ପ୍ଲାଷ୍ଟିକ ଆବରଣ କରି ସେଥିରେ ‘ଭାରତୀୟ ସାମଗ୍ରୀକୁ ହଟାଇଦେଇଛୁ’ ବୋଲି ଲେଖାଯାଇଛି। ସେଠାକାର ନାଗରିକମାନେ ଏହାକୁ ‘ଇସ୍‌ଲାମୋଫୋବିଆ’ ଅଭିହିତ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହିତ ନୂପୁର ଶର୍ମାଙ୍କୁ ଗିରଫ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଅନ୍ୟପଟେ ପଡ଼ୋଶୀ ପାକିସ୍ତାନ ରବିବାର ନୂପୁରଙ୍କ ମନ୍ତବ୍ୟକୁ ନିନ୍ଦା କରିଥିବାବେଳେ ସୋମବାର ଭାରତୀୟ ଦୂତାବାସକୁ ସମନ କରିଛି। ସେହିପରି ସାଉଦି ଆରବ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏକ ଟୁଇଟ ଯୋଗେ ନୂପୁରଙ୍କ ଟିପ୍ପଣୀକୁ ନିନ୍ଦା କରାଯାଇଛି।

Share