କୁଏତ୍ ସିଟି,୬।୭: କୁଏତ୍ ସରକାର ନୂଆ ଅପ୍ରବାସୀ ବିଲ୍ ଆଣିବାକୁ ଯାଉଛନ୍ତି। ଏହା ଦ୍ୱାରା ଏଠାରେ ବାସ କରୁଥିବା ୮ଲକ୍ଷରୁ ଅଧିକ ଭାରତୀୟ ଚାକିରି ହରାଇବାର ଆଶଙ୍କା ସୃଷ୍ଟି। ସମ୍ପୃକ୍ତ ଭାରତୀୟଙ୍କୁ ବାଧ୍ୟ ହୋଇ ସ୍ବଦେଶ ଫେରିବାକୁ ହିଁ ପଡ଼ିପାରେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏହି ବିଲ୍କୁ କୁଏତ୍ ଜାତୀୟ ଆସେମ୍ବ୍ଲି ଏବଂ ଲେଜିସଲେଟିଭ୍ କମିଟିର ମଞ୍ଜୁରୀ ମିଳି ସାରିଛି। ଗଣମାଧ୍ୟମ ସଂସ୍ଥା ଗଲ୍ଫ ନ୍ୟୁଜ୍ ଅନୁସାରେ ଏହି ବିଲ୍ ସାମ୍ବିଧାନିକ ରୂପ ନେବା ଲାଗି ଆସେମ୍ବ୍ଲିର ଅନ୍ୟ ସମିତିଗୁଡ଼ିକ ପାଖକୁ ଅନୁମୋଦନ ପାଇଁ ପଠାଯିବ। ନୂଆ ବିଲ୍ରେ ଦର୍ଶାଯାଇଛି ଯେ, ଦେଶରେ ଭାରତୀୟଙ୍କ ସଂଖ୍ୟା ୧୫ ପ୍ରତିଶତ ମଧ୍ୟରେ ସୀମିତ ରହିବା ଆବଶ୍ୟକ। କରୋନା ସଂକ୍ରମଣ ପରେ ଏହି ବିଲ୍ ଆଣିବାକୁ ସରକାରଙ୍କ ଉପରେ ଚାପ ପଡୁଥିବା କୁହାଯାଉଛି। କୁଏତ୍ର ଜନସଂଖ୍ୟା ୪୦ ଲକ୍ଷ ୩୦ ହଜାର। ଏଠାରେ ୩୦ ଲକ୍ଷରୁ ଅଧିକ ବିଦେଶୀ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାରରୁ ଅଧିକ ରହିଛି। ୨୦୨୦-୨୧ ସୁଦ୍ଧା କୁଏତ୍ର ତୈଳ କମ୍ପାନୀରେ ବିଦେଶୀ ନିଯୁକ୍ତି ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି।