Categories: ବାଣିଜ୍ୟ

କେଭିଆଇସିର କାରିଗର ସମ୍ମିଳନୀ

ଭୁବନେଶ୍ୱର,୨।୯: ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିଜ କମିଶନ (କେଭିଆଇସି)ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଶୁକ୍ରବାର ଏକ ୩ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ସହ କାରିଗର ସମ୍ମିଳନୀ କିଟ୍‌ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ହିତାଧିକାରୀଙ୍କୁ ଟୁଲ୍‌ କିଟ୍‌ସ ଏବଂ ମେଶିନାରି ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏପରିକି ଗ୍ରାମୋଦ୍ୟୋଗ ବିକାଶ ଯୋଜନାରେ ୧୦୦ ପୋର୍ଟରଙ୍କୁ ଇଲେକ୍ଟ୍ରି ହୁଇଲ୍ସ , ୭୫ ଲେଦର ଆର୍ଟିସାନଙ୍କୁ ଫୁଟ୍‌ଓ୍ବେର ଟୁଲ୍‌କିଟ୍ସ ଏବଂ ୬୦ ଆର୍ଟିସାନଙ୍କୁ ପେପର ମାସି ମେଶିନ ଅତିଥି ଓ କେଭିଆଇସି ଅଧିକାରୀମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଷଡଙ୍ଗୀ କେଭିଆଇସିର ଯୋଜନା ଓ ଭୂମିକା ଆଦି ସହ ମୋଦି ସରକାରଙ୍କ ୯ ବର୍ଷର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରାଇଥିଲେ। ସେହିଭଳି ମନୋଜ କୁମାର କହିଥିଲେ, ପୂର୍ବରୁ କେଭିଆଇସି ଯୋଜନା ଓ କାର୍ଯ୍ୟକଳାପ ମନ୍ଥର ଗତିରେ ଚାଲୁଥିବାବେଳେ ବର୍ତ୍ତମାନ ତାହା ଦ୍ରୁତଗତିରେ କାର୍ଯ୍ୟ କରୁଛି। ଫଳରେ ପ୍ରତି ବର୍ଷ କେଭିଆଇସିର କାରବାର ୧ଲକ୍ଷ କୋଟି ଉପରେ ରହୁଛି। ଉଲ୍ଲେଖଯୋଗ୍ୟ, ସମ୍ମିଳନୀ ପ୍ରାରମ୍ଭରେ କେଭିଆଇସି ଓଡ଼ିଶା ନିର୍ଦ୍ଦେଶକ ସ୍ବାଗତ ଅଭିଭାଷଣ ସହ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଉକ୍ତ ସମ୍ମିଳନୀରେ କେଭିଆଇସି ଓଡ଼ଶାର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share