Categories: ଖେଳ

ଟେନଶନରୁ ବର୍ତ୍ତିବା ପାଇଁ ବାଥରୁମ୍‌ରେ ଲୁଚିଥିଲେ ଖେଳାଳି

ଲଣ୍ଡନ,୨୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲର ଅନ୍ତିମ ତଥା ନର୍ଣ୍ଣାୟକ ଦିନ ଭାରତୀୟ ଦଳର ବୋଲିଂ ଦେଖି ଭୟବିତ ହୋଇପଡ଼ିଥିଲେ ଫାଇନାଲର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା କାଇଲ ଜେମିସନ। ଏପରି କି ଚାପରୁ ବର୍ତ୍ତିବା ପାଇଁ ନ୍ୟୁଜିଲାଣ୍ଡର ଷ୍ଟାର ଅଲରାଉଣ୍ଡର ବାଥରୁମରେ ଲୁଚି ଯାଇଥିଲେ। ଏକ ସାକ୍ଷାତ୍‌କାରରେ ସେ ଏହି ସୂଚନା ଦେଇଛନ୍ତି।

”ବୋଧ ହୁଏ, ଖେଳ ଦେଖିବାରେ ଏହା ମୋ ଜୀବନର ସବୁଠୁ କଷ୍ଟକର ମୁହୂର୍ତ୍ତ ଥିଲା। ଆମେ ଡ୍ରେସିଂ ରୁମ ଭିତରେ ବସି ଟିଭିରେ ମ୍ୟାଚ୍‌ ଦେଖୁଥିଲୁ। ଟିକେ ବିଳମ୍ବ ହେଉଥିଲା, କିନ୍ତୁ ପ୍ରତ୍ୟେକ ବଲ ପରେ ଭାରତୀୟ ଫ୍ୟାନ୍ସ ଉତ୍ସାହିତ ହୋଇ ଉଠୁଥିଲେ। ଖେଳ ଦେଖିବା ଏତେ କଷ୍ଟକର ହୋଇ ପଡ଼ିଥିଲା ଯେ, କୋଳାହଳରୁ ଦୂରେଇବା ପାଇଁ ମୁଁ ବାଥରୁମ୍‌ ଚାଲି ଯାଇଥିଲି। ମାତ୍ର ଆମର ଦୁଇ ସିନିୟର ବ୍ୟାଟ୍ସମ୍ୟାନ (ରସ ଟେଲର ଓ କେନ ଓ୍ବିଲିୟମନ) ଧୈର୍ଯ୍ୟର ସହ ଖେଳି ମ୍ୟାଚ୍‌ ଶେଷ କରିଥିଲେ“ ବୋଲି ୬ ଫୁଟ୍‌ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ବୋଲର କହିଛନ୍ତି। ତେବେ ଦଳ ସହ ଖୁସି ମନାଇବାକୁ ତାଙ୍କୁ ଯଥେଷ୍ଟ ସମୟ ମିଳି ନ ଥିଲା। ଡବ୍ଲ୍ୟୁଟିସି ଫାଇନାଲ ଶେଷ ହେବାର ୨ ଦିନ ପରେ ସେ ସରେ ପାଇଁ ଟି୨୦ ବ୍ଲାଷ୍ଟରେ ଖେଳୁଥିବା ନଜର ଆସିଥିଲେ।

Share