ବିବାଦରେ କାଇଲ୍‌ଙ୍କୁ ଦୋଷମୁକ୍ତ ରାୟ

ଓ୍ବାଶିଂଟନ୍‌, ୨୧ା୧୧: ଆମେରିକାର ଜଣେ କିଶୋର କାଇଲ୍‌ ରିଟେନ୍‌ହାଉସ୍‌ଙ୍କୁ ଏକ ହତ୍ୟା ମାମଲାରେ ଦୋଷମୁକ୍ତ କରାଯିବା ରାୟକୁ ନେଇ ବିବାଦ ଦେଖାଦେଇଛି। ଗତ ବର୍ଷ ଅଗଷ୍ଟରେ ଓ୍ବିସ୍‌କନ୍‌ସିନ୍‌ରେ ବର୍ଣ୍ଣବୈଷମ୍ୟ ହିଂସାବେଳେ ୧୮ ବର୍ଷୀୟ କାଇଲ୍‌ ୨ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ତାହା ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା କହି କୋର୍ଟ ତାଙ୍କୁ ମୁକ୍ତ କରିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ କୋର୍ଟଙ୍କ ଏହି ରାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ତାହା ଚିନ୍ତାଜନକ ବୋଲି ମତ ଦେଇଛନ୍ତି। ତେବେ ପୂର୍ବତନ ରାଷ୍ଟ୍ରପତି ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।
ଗତ ବର୍ଷ ଅଗଷ୍ଟ ୨୫ରେ ତାଙ୍କ ଇଲିନୋଇସ୍‌ ଘରଠାରୁ ପ୍ରାୟ ୩୨ କିଲୋମିଟର ଦୂର କେନୋଶା ଯାଇଥିଲେ। ସେଠାରେ ଜଣେ ଶ୍ୱେତାଙ୍ଗ ପୋଲିସ ଅଧିକାରୀଙ୍କ ଗୁଳିରେ ଜ୍ୟାକବ୍‌ ବ୍ଲାକ୍‌ ଗୁରୁତର ହୋଇଥିଲେ। ଏହାର ପ୍ରତିବାଦରେ ସେଠାରେ ଜୋରଦାର ବିକ୍ଷୋଭ ହୋଇଥିଲା। ସେହି ସମୟରେ ରିଟେନ୍‌ହାଉସ୍‌ ୩୬ ବର୍ଷୀୟ ଜୋସେଫ ରୋଜନବାମ୍‌ ଏବଂ ୨୬ ବର୍ଷୀୟ ଆନ୍ଥୋନୀ ହବରଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥିସହ ଗେଜ୍‌ ଗ୍ରୋସ୍‌କ୍ରେୟୁଜ୍‌ ଗୁରୁତର ହୋଇଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଦଙ୍ଗା ଭଳି ପରିସ୍ଥିତିବେଳେ ସେ ଆତ୍ମରକ୍ଷା ପାଇଁ ଏଭଳି କରିଥିବା ରିଟେନହାଉସ୍‌ କହିଥିଲେ। ତାଙ୍କଠାରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରୁଥିବାବେଳେ ସେ ଗୁଳି କରିଥିଲେ ବୋଲି ସଫେଇ ଦେଇଥିଲେ। ଏପରି ରାୟକୁ ବାଇଡେନ୍‌ ଚିନ୍ତାଜନକ କହିଛନ୍ତି। ଏହା ଦ୍ୱାରା ଆମେରିକାବାସୀଙ୍କ ମଧ୍ୟରେ କ୍ରୋଧ ଏବଂ ଉଦ୍‌ବେଗ ପ୍ରକାଶ ପାଇବ। ସମସ୍ତଙ୍କୁ ସମାନତା, ନ୍ୟାୟ ଏବଂ ସମ୍ମାନ ଦେବାକୁ ନିଶ୍ଚିତ କରିବାକୁ ସେ ପ୍ରତିବଦ୍ଧ। ତେବେ ନ୍ୟାୟ ବ୍ୟବସ୍ଥା ଏହି ରାୟ ଦେଇଥିବାରୁ ସେ ତାହାକୁ ସମ୍ମାନ ଦେବେ ବୋଲି କହିଛନ୍ତି। ଗତ ରାଷ୍ଟ୍ରପତି ନିର୍ବାଚନବେଳେ ଏହି ଘଟଣାକୁ ବାଇଡେନ ହ୍ବାଇଟ୍‌ ସୁପ୍ରିମିଷ୍ଟ ସଙ୍ଗଠନ ସହ ଜଡ଼ିତ ବୋଲି କହି ଏକ ଟୁଇଟ୍‌ କରିଥିଲେ।

 

Share