ପ୍ୟାରିସ, ୮।୯: ଫ୍ରାନ୍ସ ତଥା ପ୍ୟାରିସ ସେଣ୍ଟ ଜର୍ମେନର ଷ୍ଟାର୍ ଫୁଟ୍ବଲ ଖେଳାଳି କେଲିଆନ୍ ଏମ୍ବାପ୍ପେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଯୁବ ଷ୍ଟ୍ରାଇକର୍ ମଙ୍ଗଳବାର ବିଶ୍ୱକପ୍ ରନର୍ସଅପ୍ କ୍ରୋଏସିଆ ବିପକ୍ଷରେ ନେସନ୍ସ ଲିଗ୍ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ଥିଲା। କିନ୍ତୁ କରୋନା ପଜିଟିଭ ଜଣାପଡ଼ିବା ପରେ ଏମ୍ବାପ୍ପେ ଏବେ କ୍ରୋଏସିଆ ବିପକ୍ଷ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଫ୍ରାନ୍ସ ଫୁଟ୍ବଲ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ୨୧ ବର୍ଷୀୟ ଏମ୍ବାପ୍ପେ ଯେତେବେଳେ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲେ ସେତେବେଳେ ସେ ଜାତୀୟ ଦଳର ଅଭ୍ୟାସ ଶିବିର ଛାଡ଼ି ପଳାଇଥିଲେ। ଏବେ ସେ ଘରେ ଆଇସୋଲେଶନରେ ରହିଛନ୍ତି। ୟୁରୋପୀୟ ଫୁଟ୍ବଲର ସବୁଠାରୁ ବଡ଼ ସଂସ୍ଥା ୟୁଫା ସୋମବାର ସକାଳେ ଏମ୍ବାପ୍ପେଙ୍କ କରୋନ ଟେଷ୍ଟ କରାଇଥିଲା। ଏଥିପୂର୍ବରୁ ନେସନ୍ସ କପ୍ରେ ଶନିବାର ସ୍ବିଡେନ ବିପକ୍ଷ ମ୍ୟାଚ୍କୁ ଫ୍ରାନ୍ସ ୧-୦ରେ ଜିତି ନେଇଥିଲା। ଏମ୍ବାପ୍ପେ ଦଳ ପାଇଁ ବିଜୟସୂଚକ ଏକମାତ୍ର ଗୋଲଟି ସ୍କୋର କରିଥିଲେ। ଏହା ତାଙ୍କ କ୍ୟାରିୟରର ୧୪ତମ ଅନ୍ତର୍ଜାତୀୟ ଗୋଲ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, କରୋନା ଲାଗି ନେସନ୍ସ କପ୍ରୁ ବାଦ୍ ପଡ଼ିବାରେ ଏମ୍ବାପ୍ପେ ୪ର୍ଥ ଫ୍ରାନ୍ସ ଖେଳାଳି।