Categories: ଖେଳ

ଯେଉଁ ବନ୍ଧୁ ଶିଖାଇଥିଲେ ‘ହେଲିକପ୍ଟର ଶଟ୍‌’,ତାଙ୍କ ଜୀବନ ବଞ୍ଚାଇବା ପାଇଁ ସତସତିକା ହେଲିକପ୍ଟର ପଠାଇଥିଲେ ଧୋନୀ; ହେଲେ…

ନୂଆଦିଲ୍ଲୀ,୭।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ହେଲିକପ୍ଟର ଶଟ୍‌କୁ ନେଇ ବେଶ ପରିଚିତ। ହେଲେ ସେ ଏହାକୁ ଜଣେ ଘନିଷ୍ଠ ବନ୍ଧୁଙ୍କଠାରୁ ଶିକ୍ଷା କରିଥିଲେ। ସେ ହେଲେ ସନ୍ତୋଷ ଲାଲ୍‌। ଧୋନୀଙ୍କ ବାୟୋପିକ୍‌ରେ ସନ୍ତୋଷଙ୍କ ସହ ଜଡ଼ିତ ଅନେକ କିଛି ଦେଖିବାକୁ ମିଳିଥିଲା। ହେଲେ ସନ୍ତୋଷ ଏବେ ଆଉ ଦୁନିଆରେ ନାହାନ୍ତି।

ଧୋନୀ ସନ୍ତୋଷଙ୍କଠାରୁ ଏହି ଶର୍ଟ ଶିଖୁଥିବା ବେଳେ ଏହାର ନାମ ଭିନ୍ନ ଥିଲା। ହେଲିକପ୍ଟର ନୁହେଁ ବରଂ ଥପ୍ପଡ଼ ଶଟ୍‌ ବୋଲି କୁହାଯାଉଥିଲା। ସନ୍ତୋଷ ଧୋନୀଙ୍କ ପିଲାଦିନର ବନ୍ଧୁ ଥିଲେ। ଉଭୟ ଅନ୍ୟ ରାଜ୍ୟକୁ କ୍ରିକେଟ ଖେଳିବାକୁ ଯାଉଥିଲେ। ଏପରିକି ସେମାନେ ରେଳ ବିଭାଗରେ ଏକାସାଙ୍ଗରେ ଚାକିରି ମଧ୍ୟ କରୁଥିଲେ। ଧୋନୀଙ୍କ ଭଳି ସନ୍ତୋଷ ମଧ୍ୟ ଭଲ ବ୍ୟାଟ୍ସମ୍ୟାନ୍‌ ଥିଲେ।

ଆକ୍ୟୁଟ୍‌ ପାନକ୍ରିଆଟିକ୍‌ରେ ପୀଡ଼ିତ ହେବା ଯୋଗୁ ୩୨ ବର୍ଷ ବୟସରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ଧୋନୀ ବନ୍ଧୁଙ୍କୁ ବଞ୍ଚାଇବା ଲାଗି ସମସ୍ତ ପ୍ରଚେଷ୍ଟା କରିଥିଲେ। ଦିଲ୍ଲୀର ଏକ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ। ଏପରିକି ତାଙ୍କୁ ଆଣିବା ପାଇଁ ଏୟାର ଆମ୍ବୁଲାନ୍ସ ମଧ୍ୟ ପଠାଇଥିଲେ। ଏହାସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରି ନ ଥିଲା। ଏବେ ଧୋନୀ ଭଲ ବନ୍ଧୁ ଭାବେ ତାଙ୍କୁ ସବୁବେଳେ ମନେ ପକାଇଥାନ୍ତି।

Share