ସମୁଦ୍ରରେ ମିଶିଲା ଲା ପାମା ଲାଭା

ଲା ପାମା, ୩୦ା୯: ସ୍ପେନର ଲା ପାଲମା ଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁ ବାହାରିଥିବା ଲାଭା ମଙ୍ଗଳବାର ଆଟ୍‌ଲାଣ୍ଟିକ୍‌ ମହାସାଗରରେ ମିଶିଛି। ଏଥିଯୋଗୁ ସେଠାରୁ ବିଷାକ୍ତ ଗ୍ୟାସ ନିର୍ଗତ ହେବା ଆଶଙ୍କା ଥିବାରୁ ଆଖପାଖ ଲୋକେ ଘର ଭିତରେ ନିଜକୁ ବନ୍ଦ ରଖିଛନ୍ତି। ସମୁଦ୍ରରେ ଲାଭା ମିଶିବା ପରେ ବିଶାଳ ଆକାରର ଧଳା ଧୂଆଁ ଆକାଶକୁ ଆଚ୍ଛାଦିତ କରିଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗତ ୧୯ ତାରିଖରେ ଉକ୍ତ ଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗିରଣ ହୋଇଥିଲା। ଏଥିରୁ ନିର୍ଗ ଲାଭା ପାହାଡ଼ ପର୍ବତ ଦେଇ ବହି ଚାଲିଛି। ଏଥିଯୋଗୁ ୬୫୦ରୁ ଊର୍ଦ୍ଧ୍ୱ ବିଲ୍ଡିଂ ନଷ୍ଟ ହେବା ସହ ଚାଷ ଉଜୁଡ଼ି ଯାଇଛି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ସମୁଦ୍ରରେ ଲାଭା ମିଶିବା ବିପଜ୍ଜନକ। ଏହାଦ୍ୱାରା ବିସ୍ଫୋରଣ ଘଟିବା ସହ ନିର୍ଗତ ବିଷାକ୍ତ ଗ୍ୟାସ୍‌ ଯୋଗୁ ଦ୍ୱୀପରେ ଜନଜୀବନ ହାନି ହୋଇପାରେ। ତେଣୁ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ଉପକୂଳବର୍ତ୍ତୀ ଗ୍ରାମରୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

Share