ଡ. ସମୀର କୁମାର ନନ୍ଦ
ବିଶ୍ୱରେ ସମସ୍ତ ଖଟିଖିଆ ଶ୍ରମିକଙ୍କୁ ଏକଜୁଟ ହୋଇ ଅଧିକାର ପାଇଁ ଲଢ଼ିବା ଲାଗି ସର୍ବପ୍ରଥମେ ଜର୍ମାନୀର ବିଶିଷ୍ଟ ଦାର୍ଶନିକ ମହାମନୀଷୀ କାର୍ଲମାର୍କ୍ସ (୧୮୧୮-୧୮୮୩) ଆହ୍ବାନ କରିଥିଲେ। ଆଜି ଯଦି ଭାରତରେ ଶ୍ରମିକଗୋଷ୍ଠୀ ବଳଶାଳୀ ହୋଇପାରିଛନ୍ତି, ଯଦି ଭାରତର ଶିଳ୍ପ ସଂସ୍ଥାରେ ଶ୍ରମିକମାନେ ନିଜର ଅଧିକାର ଦାବିକରି ଆଜି ପାଇପାରୁଛନ୍ତି, ସେଥିପାଇଁ ଜଣେ ବ୍ୟକ୍ତିଙ୍କୁ ଶ୍ରେୟ ଦିଆଯାଇପାରେ, ସେ ହେଉଛନ୍ତି ବ୍ରହ୍ମପୁରର ଜନ୍ମିତ ବିଶିଷ୍ଟ ଶ୍ରମିକ କଲ୍ୟାଣ ନେତା ଭି.ଭି.ଗିରି। ଭାରତରେ ଶ୍ରମିକ ଆନ୍ଦୋଳନର ନେତୃତ୍ୱ ନେଇ ସେ ଦୁଇଥର ଏଆଇଟିୟୁସିର ସଭାପତି ହୋଇଥିଲେ। ୧୯୩୧-୩୨ ମସିହାରେ ସେ ଭାରତର ଶ୍ରମିକମାନଙ୍କ ପ୍ରତିନିଧିତ୍ୱ କରି ଲଣ୍ଡନର ୨ୟ ଗୋଲଟେବୁଲ ବୈଠକରେ ମଧ୍ୟ ଯୋଗ ଦେଇଥିଲେ।
ଦେଶରେ ୧୯୨୬ରେ ଶ୍ରମିକ ସଂଘ ଆଇନ ପ୍ରଣୀତ ହୋଇଥିଲା। ତେଣୁ ଏଥିପୂର୍ବରୁ ଓଡ଼ିଶାରେ କିମ୍ବା ଓଡ଼ିଶା ବାହାରେ ଓଡ଼ିଆ ଶ୍ରମିକ ଆନ୍ଦୋଳନ ସମ୍ପର୍କରେ ଠିକ୍ ରୂପେ ତଥ୍ୟ ମିଳିପାରିନାହିଁ। ତଥାପି ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ କଲିକତାରେ ହୋଇଥିବା ଓଡ଼ିଆ ପାଲିଙ୍କି ବାହକମାନଙ୍କର ଧର୍ମଘଟ ଭାରତର ଶ୍ରମିକ ଆନ୍ଦୋଳନର ଆଦ୍ୟପର୍ବ ସ୍ବରୂପ ସଙ୍ଗଠିତ ଓଡ଼ିଆ ଶ୍ରମିକ ଗୋଷ୍ଠୀର ଗୋଷ୍ଠୀ ଭାବନାର ସ୍ମାରକୀ ବହନ କରିବା ଘଟଣାକୁ ଏଡାଇ ଦିଆଯାଇ ନ ପାରେ।
ଛତ୍ରପୁରର ଜଣେ ଅଣଓଡ଼ିଆ ବ୍ୟବସାୟୀ ୧୯୩୩ରେ ରମ୍ଭା ରେଳଷ୍ଟେଶନ ନିକଟରେ ଏକ ଚାଉଳ କଳ ସ୍ଥାପନ କରିଥିଲେ। ସେଠାରେ ଆଠ ଟଙ୍କାରୁ ବାର ଟଙ୍କା ମାସିକ ପାରିଶ୍ରମିକରେ ୧୮ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। ମାଲିକ ନିଜେ ଏହାର ପରିଚାଳନା କରୁଥିଲେ। ସୁଜନ ଭଟ୍ଟାଚାର୍ଯ୍ୟ ନାମକ କଲିକତାର କମ୍ୟୁନିଷ୍ଟ ଦଳର ଜଣେ କର୍ମୀ ୧୯୩୫ରେ ନିଜର ବନ୍ଧୁ ରମ୍ଭା ରେଳଷ୍ଟେଶନରେ କାର୍ଯ୍ୟରତ ତତ୍କାଳୀନ ଷ୍ଟେଶନ ମାଷ୍ଟରଙ୍କ ଘରକୁ ବୁଲିବାକୁ ଆସିଥିଲେ। ରେଳଷ୍ଟେଶନ ସମୀପରେ ଦିନରାତି ଅବିରାମ ଚାଲୁଥିବା ସେହି ଚାଉଳକଳ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା। ଚାଉଳକଳରେ କାର୍ଯ୍ୟରତ ଶ୍ରମିକମାନଙ୍କ କାର୍ଯ୍ୟନିର୍ଘଣ୍ଟ, ମଜୁରିହାର, ସିଫ୍ଟ ବ୍ୟବସ୍ଥା, ଓଭରଟାଇମ ଭତ୍ତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ଶ୍ରମିକମାନଙ୍କଠାରୁ ବୁଝିଲା ପରେ ମାଲିକ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ଶ୍ରମିକମାନଙ୍କୁ ପ୍ରବର୍ତ୍ତାଇଲେ। ଶ୍ରମିକମାନଙ୍କର ପ୍ରଥମଥର ପାଇଁ ଏପରି ଦାବି ଉପସ୍ଥାପନରେ ମାଲିକ କ୍ଷୁବ୍ଧ ହୋଇ ପ୍ରଥମେ ଚାଉଳକଳକୁ ବନ୍ଦ କରି ଚାଲିଗଲେ ସିନା କିନ୍ତୁ ପରେ ଶ୍ରମିକମାନଙ୍କ ଦାବିକୁ କିଛିମାତ୍ରାରେ ଗ୍ରହଣ କରି ମଜୁରି ବୃଦ୍ଧି କରିବା ସହିତ ଗୋଟିଏ ଗୋଟିଏ ଧୋତି ପ୍ରଦାନ କଲେ। ୧୯୩୫ ଜାନୁୟାରୀ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ସୁଜନ ଭଟ୍ଟାଚାର୍ଯ୍ୟଙ୍କ ଉପସ୍ଥିତିରେ ମାଲିକ ଓ ଶ୍ରମିକମାନଙ୍କ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହେଲା। ଶ୍ରମିକ ସଂଘ ଆଇନ ୧୯୨୬ ଅନୁସାରେ ସଂଗଠିତ ରମ୍ଭା ଚାଉଳକଳ ସୁଜନ ଭଟ୍ଟାଚାର୍ଯ୍ୟଙ୍କ ସଭାପତିତ୍ୱରେ ମାନ୍ଦ୍ରାଜ ପ୍ରେସିଡେନ୍ସିରେ ରେଜେଷ୍ଟ୍ରିଭୁକ୍ତ ହେଲା। ଏଇଠାରେ ହିଁ ଓଡ଼ିଶା ଶ୍ରମିକ ଆନ୍ଦୋଳନର ଅନ୍ତୁଡ଼ିଶାଳ ପ୍ରସ୍ତୁତ ହେଲା ଏବଂ ଓଡ଼ିଶାର ପ୍ରଥମ ଶ୍ରମିକ ସଙ୍ଗଠନ ଜନ୍ମଲାଭ କଲା।
୧୯୩୬ ମସିହା ଏପ୍ରିଲ ପହିଲା ଦିନ ସ୍ବତନ୍ତ୍ର ଓଡ଼ିଶା ଗଠନ ହେଲା। ସ୍ବର୍ଗତ ପ୍ୟାରୀଶଙ୍କର ରାୟ ୧୯୩୭ରେ ଅନୁଷ୍ଠିତ ପ୍ରାଦେଶିକ ସାଧାରଣ ନିର୍ବାଚନରେ କଂଗ୍ରେସ ନେତା ଭାବେ ଶ୍ରମିକ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେ କଟକସ୍ଥିତ ସତ୍ୟବାଦୀ ପ୍ରେସ, କୋହିନୂର ପ୍ରେସ, ମିଶନ ପ୍ରେସ, ସାରସ୍ବତ ପ୍ରେସ, ଅବଜରଭର ପ୍ରେସ, ନବଭାରତ ପ୍ରେସ ଏବଂ ମନମୋହନ ପ୍ରେସ ଶ୍ରମିକମାନଙ୍କୁ ନେଇ ୧୯୩୮ ମାର୍ଚ୍ଚ ପହିଲା ଦିନ କଟକ ପ୍ରେସ ଓାର୍କ୍ସ ୟୁନିୟନ ଗଠନ କଲେ। ଏହି ସଂଘଟି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ଶ୍ରମିକ ସଂଗଠନ ରୂପେ ୧୯୨୬ର ଶ୍ରମିକ ସଂଘ ଆଇନ ଅନୁସାରେ ୧ ନମ୍ବରରେ ରେଜେଷ୍ଟ୍ରିଭୁକ୍ତ ହୋଇଥିଲା। ସେ ୧୯୩୮ ଜୁନ୍ ପହିଲା ଦିନ କଟକସ୍ଥିତ ବିଦ୍ୟୁତ୍ ଯୋଗାଣ ସଂସ୍ଥା ଅଧୀନସ୍ଥ ଶ୍ରମିକମାନଙ୍କୁ ନେଇ ତାଙ୍କର ଦ୍ୱିତୀୟ ଶ୍ରମିକ ସଂଗଠନ ସଂଗଠିତ କଲେ, ଯାହାକି ଡିସେମ୍ବର ୬ରେ ଶ୍ରମିକ ସଂଘ ଆଇନ ଅନୁସାରେ ରେଜେଷ୍ଟ୍ରିଭୁକ୍ତ ହୋଇଥିଲା।
ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଦୁର୍ଗାଶଙ୍କର ଗୁରୁ ସମ୍ବଲପୁର ଜିଲାର ବ୍ରଜରାଜନଗରଠାରେ ଅବସ୍ଥିତ ଓରିଏଣ୍ଟ କାଗଜ କଳର ଶ୍ରମିକମାନଙ୍କୁ ନେଇ ଓରିଏଣ୍ଟ ପେପର ମିଲ୍ ଓ୍ବାର୍କର୍ସ ୟୁନିୟନ ନାମରେ ଏକ ସଂଘ ଗଠନ କରିଥିଲେ, ଯାହାକି ୧୯୪୧ ଜୁଲାଇ ୪ରେ ବିଧିବଦ୍ଧ ଭାବେ ରେଜେଷ୍ଟ୍ରିଭୁକ୍ତ ହୋଇଥିଲା। ସମ୍ବଲପୁର ଜିଲାରେ କୃପାସିନ୍ଧୁ ଖୁଣ୍ଟିଆ ଏବଂ ବଂଶୀଧର ଦାସ କମ୍ୟୁନିଷ୍ଟ ଦଳର ଟାଣୁଆ ନେତା ଭାବେ ଶ୍ରମିକ ସଙ୍ଗଠନ ଗଠନ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ।
କଂଗ୍ରେସ ଦଳରୁ ବିଶ୍ୱନାଥ ପଣ୍ଡିତ ୧୯୪୬ ମାର୍ଚ୍ଚରେ କଟକ ଯୋବ୍ରା କାରଖାନା, ଏପ୍ରିଲ ମାସରେ ଓଡ଼ିଶା ଇଞ୍ଜିନିୟରିଂ ସ୍କୁଲ, କଟକ ଏବଂ ମେ ମାସରେ କଟକ ମେହେନ୍ତର ସଂଘ ଗଠନ କରିଥିଲେ। ତାଙ୍କର ଘନିଷ୍ଠ ସହଯୋଗୀ ବାଙ୍କବିହାରୀ ଦାସ ପ୍ରଥମ ଥର ପାଇଁ ଘରୋଇ ଚାକରମାନଙ୍କର ଶ୍ରମିକ ସଙ୍ଗଠନ କରି ଏକ ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିଥିଲେ। ଘରୋଇ ଚାକରମାନଙ୍କୁ ଶ୍ରମିକ ଭାବେ ଗ୍ରହଣ କରିବାକୁ ସିନା ଆଇନ ପ୍ରଥମେ କୁଣ୍ଠାବୋଧ କରୁଥିଲା, ମାତ୍ର ୧୯୯୧ରେ ରାମାନୁଜମ କମିଟିର ସୁପାରିସ କ୍ରମେ କେନ୍ଦ୍ର ସରକାର ଏହି ଘରୋଇ ଚାକରମାନଙ୍କୁ ଶ୍ରମିକ ରୂପେ ଗ୍ରହଣ କରିଛନ୍ତି।
ରାଧାନାଥ ରଥ ୧୯୪୬ ବେଳକୁ କଟକ, ପୁରୀ ଓ ଗଞ୍ଜାମ ଜିଲାରେ ଶ୍ରମିକ ସଙ୍ଗଠନମାନ ନିର୍ମାଣ କରିଥିଲେ। ସରକାରୀ ମୁଦ୍ରଣାଳୟର ଶ୍ରମିକ ଓ ପ୍ରାଥମିକ ଶିକ୍ଷକମାନଙ୍କର ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ସେମାନଙ୍କର ନ୍ୟାଯ୍ୟ ଦାବି ହାସଲ ନିମନ୍ତେ ସଂଗ୍ରାମ କରିଥିଲେ। ବ୍ରହ୍ମପୁରର ଜଣେ ଲୁଗା ବ୍ୟବସାୟୀ ଭି. ନାରାୟଣ ରାଜୁଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଶାର ପ୍ରଥମ ବ୍ୟବସାୟୀ ସଂଘ ୧୪ା୧୨ା୧୯୪୬ରେ ଶ୍ରମିକ ସଙ୍ଗଠନ ଆଇନ ଅନୁସାରେ ରେଜେଷ୍ଟ୍ରିଭୁକ୍ତ ହୋଇଥିଲା। ରାଧାନାଥ ରଥଙ୍କ ସହଯୋଗୀ ଭାବେ ଲୋକସେବକ ମଣ୍ଡଳର ସଭ୍ୟ ଶ୍ୟାମସୁନ୍ଦର ମିଶ୍ର ୧୯୪୬ରେ କଟକ ଓ ବ୍ରହ୍ମପୁରଠାରେ ସକ୍ରିୟ ଶ୍ରମିକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ୧୯୪୬ ଜୁଲାଇ ୧୬ରେ ତାଙ୍କ ନେତୃତ୍ୱରେ ୩୦ଟି ଶ୍ରମିକ ସଙ୍ଗଠନକୁ ନେଇ ଓଡ଼ିଶାରେ ଏଆଇଟିୟୁସି ଗଠିତ ହୋଇଥିଲା। କେବଳ ଶ୍ରମିକମାନଙ୍କ ଦ୍ୱାରା ଗଠିତ ୮ଟି ଶ୍ରମିକ ସଙ୍ଗଠନ, ସମାଜସେବୀ ଦ୍ୱାରା ଗଠିତ ୩ଟି ଶ୍ରମିକ ସଙ୍ଗଠନ ଓ କଂଗ୍ରେସ ନେତାମାନଙ୍କ ଦ୍ୱାରା ସଙ୍ଗଠିତ ୮ଟି ସଙ୍ଗଠନକୁ ନେଇ ୧୯୪୭ରେ ମୋଟ ୧୯ଟି ଶ୍ରମିକ ସଙ୍ଗଠନକୁ ୧୯୨୬ ଆଇନ ଅନୁସାରେ ପଞ୍ଜୀକୃତ କରାଯାଇଥିଲା। ୧୯୫୧ରେ ୯୧ଟି ଶ୍ରମିକ ସଙ୍ଗଠନ ଥିବାବେଳେ ୧୯୫୩ ମସିହା ସୁଦ୍ଧା ଏହି ସଂଖ୍ୟା ୫୯କୁ ଖସି ଆସିଥିଲା। ୧୯୬୭ ସୁଦ୍ଧା ଓଡ଼ିଶାରେ ୬୯,୭୫୨ ଶ୍ରମିକକୁ ନିଯୁକ୍ତି ଦେଇ ୯୧୨ଟି କଳକାରଖାନା ଓ ୧୮୯ଟି ଶ୍ରମିକ ସଙ୍ଗଠନ ପଞ୍ଜୀକୃତ ହୋଇଥିବାର ଜଣାପଡ଼େ।
୧୯୩୯ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ଶ୍ରମିକ ସଙ୍ଗଠନ କଟକର ପ୍ରେସ୍ ଓ୍ବାର୍କର୍ସ ୟୁନିୟନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଅଖିଳ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ ସହିତ ସର୍ବପ୍ରଥମେ ସଂଶ୍ଳିଷ୍ଟ ହୋଇଥିଲା। ୧୯୮୭ ସୁଦ୍ଧା ଓଡ଼ିଶାର ସମୁଦାୟ ୮୯୨ ଶ୍ରମିକ ସଙ୍ଗଠନ ମଧ୍ୟରୁ ୨୪୧ଟି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହୋଇଥିବା ଅବସରରେ ସମୁଦାୟ ୫,୮୦,୦୬୯ ଶ୍ରମିକ ସଙ୍ଗଠନଭୁକ୍ତ ସଭ୍ୟଙ୍କ ମଧ୍ୟରୁ ମାତ୍ର ୪,୨୧,୯୪୨ ସଭ୍ୟ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଅନ୍ତର୍ଭୁକ୍ତ। ୧୯୮୮ରୁ ୨୦୦୦ ମସିହା ମଧ୍ୟରେ ଓଡ଼ିଶାରେ ୧୫,୩୫,୩୪୭ ଜଣ ଶ୍ରମିକ ସଭ୍ୟଙ୍କୁ ନେଇ ୧୮୮୪ଟି ଶ୍ରମିକ ସଙ୍ଗଠନ ପଞ୍ଜୀକୃତ ହୋଇସାରିଥିଲା ବେଳେ ୨୦୧୭ ମସିହା ସୁଦ୍ଧା ୬୧,୭୧,୯୨୫ ଜଣ ସଭ୍ୟଙ୍କୁ ନେଇ ୬୫୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସମେତ ୨୭୫୪ ଶ୍ରମିକ ସଙ୍ଗଠନ ପଞ୍ଜୀକୃତ ହୋଇଥିଲା। ଓଡ଼ିଶାରେ ଶ୍ରମିକ ଆନ୍ଦୋଳନର ଇତିହାସକୁ ତର୍ଜମା କଲେ ଜଣାପଡ଼େ ଯେ, ବିଗତ ଆଠ ଦଶନ୍ଧି ମଧ୍ୟରେ ରାଜ୍ୟରେ ଅନେକ ଶ୍ରମିକ ସଂଘ ସଙ୍ଗଠିତ ହୋଇଛି ଓ ଦାବି ପୂରଣ ପାଇଁ ବହୁବାର ଆନ୍ଦୋଳନ ମଧ୍ୟ କରାଯାଇଛି। କିନ୍ତୁ ଏହାଦ୍ୱାରା ଶ୍ରମିକମାନେ ପ୍ରକୃତରେ କେତେ ଉପକୃତ ହୋଇଛନ୍ତି ତାହା ବିଚାରସାପେକ୍ଷ।
କଚେରି ସାହି, ଦେବଗଡ଼
ମୋ- ୯୪୩୭୨୧୮୯୧୭