ଶ୍ରମିକ ଦିବସକୁ କଳାଦିବସ ଭାବେ ପାଳିଲେ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ

କେନ୍ଦୁଝର,୨।୫(ସ୍ବ.ପ୍ର.): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀମାନେ ଶ୍ରମିକ ଦିବସକୁ ମଙ୍ଗଳବାର କଳା ଦିବସ ଭାବେ ପାଳିଛନ୍ତି। ସୂଚନା ମୁତାବକ ଶ୍ରମିକ ଦିବସ ଅବସରରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିଭିନ୍ନ ସମସ୍ୟା ପୂରଣ ହୋଇପାରି ନ ଥିବା ଦାବିକୁ ନ଼େଇ ରାଜ୍ୟସାରା ସମସ୍ତ ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀମାନେ ଏହାର ପ୍ରତିବାଦ କରିଛନ୍ତି। ଏଥିସହ ଶ୍ରମିକ ଦିବସକୁ କଳା ଦିବସ ଭାବେ ପାଳନ କରିଛନ୍ତି ବୋଲି ଡିଭିଜନ ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ କହିଛନ୍ତି।
ସେହିପରି କେନ୍ଦୁଝର ଡିଭିଜନର କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀମାନେ ଡିଭିଜନର ସବୁ ରେଞ୍ଜ ଓ ସେକ୍ସନରେ କଳାବ୍ୟାଚ ପରିଧାନ କରି ଶ୍ରମିକ ଦିବସକୁ କଳା ଦିବସ ଭାବେ ପାଳନ କରିଛନ୍ତି। ସେମାନେ କେନ୍ଦୁପତ୍ର ଖରିଦ ଦରବୃଦ୍ଧି କରିବା, ସିଜିନାଲ କର୍ମଚାରୀ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବୃଦ୍ଧି କରିବା, କେନ୍ଦୁପତ୍ର ଉପରୁ ଜିଏସଟି ଉଚ୍ଛେଦ ଓ ସଂଗୃହିତ ଟଙ୍କା ଫେରସ୍ତ ଦେବା, ସିଜିନାଲ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ଲାଗୁ କରିବା, ସମସ୍ତ କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀଙ୍କ ଝିଅ ଓ ପୁଅଙ୍କ ସକାଶେ ଶିକ୍ଷା ସହାୟତା ଓ କନ୍ୟା ବିବାହ ସହାୟତା ଦେବା ଦାବି କରିଥିବା ଜଣାପଡିଛିି।

ସେହିପରି କେନ୍ଦୁଲିଫ ଡେଭେଲପମେଣ୍ଟ ବୋର୍ଡ ବୈଠକ ତୁରନ୍ତ ଡାକିବା, ଓଡ଼ିଶା ବନ ଉନ୍ନୟନ ନିଗମ ନେଉଥିବା ଶତକଡ଼ା ୧୦ଭାଗ କମିଶନଙ୍କୁ ହ୍ରାସ କରିବା, ଓ ଅତିଶୀଘ୍ର ବୋନସ ପ୍ରଦାନ କରିବା ଆଦି ଦାବିଗୁଡ଼ିକୁ ଗୁରୁତର ସହ ବିଚାର କରି ପୂରଣ କରିବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।

Share