ବରଗଡ଼,୧୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଚୂନପଥର ଖଣିର ଠିକା ଶ୍ରମିକମାନେ ସୋମବାର ସକାଳୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ୩ ଦଫା ଦାବି ନେଇ ପିଲାଛୁଆ ଧରି ସେମାନେ ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ରାଜପଥ ଅବରୋଧ କରିଛନ୍ତି। ଫଳରେ ବରଗଡ଼-ବଲାଙ୍ଗୀର, ବରଗଡ଼-ପଦ୍ମପୁର ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଖଣିର ଲିଜ୍ ଅବଧି ଥିବା ପର୍ଯ୍ୟନ୍ତ ଖଣିକୁ କାର୍ଯ୍ୟକ୍ଷମ କରିବା, ଯଦି ଖଣି କାର୍ଯ୍ୟକ୍ଷମ ନ ହୁଏ, ତେବେ ଲିଜ ଅବଧି ପର୍ଯ୍ୟନ୍ତ ସମସ୍ତ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ, ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ଦରମା ପ୍ରଦାନ ଆଦି ପାଇଁ ସେମାନେ ଦାବି କରିଛନ୍ତି। ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଆନ୍ଦୋଳନସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି।