କମୁନି ଦାଦନ ଶ୍ରମିକ ଚାଲାଣ

କଣ୍ଟାବାଞ୍ଜି/ଖପ୍ରାଖୋଲ,୬ା୧୧ (ଗୁରୁଦୟାଲ ହଂସ/ଅଭୟ ତ୍ରିପାଠୀ): ସମସ୍ତ ପ୍ରକାର କର୍ମାଭିମୁଖୀ ଯୋଜନା ଓ ସଚେତନତା ସତ୍ତ୍ୱେ ବଲାଙ୍ଗୀର ଜିଲାରୁ ଦାଦାନ ଶ୍ରମିକ ଚାଲାଣ ଚାଲୁ ରହିଛି। ଶନିବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଓ ଖପ୍ରାଖୋଲ ଥାନା ଅଞ୍ଚଳରେ ପୋଲିସ ବାହାର ରାଜ୍ୟକୁ ଚାଲାଣ ପାଇଁ ଉଦ୍ୟମ କରାଯାଉଥିବା ବେଳେ ପୋଲିସ ୩୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ବିନା କାଗଜପତ୍ରରେ ଚାଲାଣ କରାଯାଉଥିବା ଜଣାପଡିବା ପରେ ମଧ୍ୟସ୍ଥ, ୨ସର୍ଦ୍ଦାର ଓ ୨ଗାଡିର ଡ୍ରାଇଭରଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଉଦ୍ଧାର ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦେଇଛି ପୋଲିସ।
କଣ୍ଟାବାଞ୍ଜି ପୋଲିସ ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ରେଲଓ୍ବେ ଷ୍ଟେଶନକୁ ଆସୁଥିବା ୩୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ବାହାର ରାଜ୍ୟକୁ ଚାଲାଣ ଉଦ୍ଦେଶ୍ୟରେ ସେମାନଙ୍କୁ ବୋଲେରୋ ଯୋଗେ ଅଣା ଯାଉଥିଲା। ପୋଲିସ ସୂୂଚନା ଅନୁସାରେ ବେଲପଡା ଥାନା ସିହିନି, ସିଙ୍ଗଖମନ, ଖଲିପଥର ଓ କଣ୍ଟାବାଞ୍ଜି ଥାନା ଡଙ୍ଗାମରା ଗାଁର ଏହି ଶ୍ରମିକମାନଙ୍କୁ ବେଲପଡା ଥାନା ସିହିନି ଗ୍ରାମର ସର୍ଦ୍ଦାର ଉତ୍ତମ ସୁନା ଓ ଟେଙ୍ଗେରାର ପବନ ଛତ୍ରିଆ ବୋଲେରୋ (ନଂ.ଓଡି୦୫/ଜି-୨୦୪୪) ଯୋଗେ କଣ୍ଟାବାଞ୍ଜି ଷ୍ଟେଶନକୁ ନେଉଥିଲେ। ଖବର ପାଇ ଉକ୍ତ ଦାଦନ ଶ୍ରମିକମାନଙ୍କୁ ପଚରାଉଚରା କରାଯାଇଥିଲା। ଦୁଇ ସର୍ଦ୍ଦାର ଓ ବୋଲେରୋକୁ ଥାନାକୁ ଅଣାଯାଇଥିଲା। ତଦନ୍ତ ବେଳେ ସେମାନଙ୍କ ନିକଟରେ ଶ୍ରମିକ ଚାଲାଣ ସମ୍ପର୍କିତ କୌଣସି କାଗଜ ପତ୍ର ନ ଥିବା ଜଣାପଡିଥିଲା। ଏହାପରେ ବୋଲେରୋ ଜବତ କରିବା ସହ ଡ୍ରାଇଭର ଅଜାମିଲ ପୋଢ ଓ ଦୁଇ ସର୍ଦ୍ଦାର ଉତ୍ତମ ସୁନା, ପବନ ଛତ୍ରିଆଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସ୍ଥାନୀୟ ସବ୍‌ଜେଲ ହାଜତ ପଠାଯାଇଥିବା ଆଇଆଇସି ରଶ୍ମିତା ବେହେରା କହିଛନ୍ତି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୨୧ପୁରୁଷ ଓ ୯ଜଣ ମହିଳା ଓ ୪ଜଣ ଶିଶୁ ରହିଛନ୍ତି। ପରେ ଶ୍ରମିକମାନଙ୍କୁ ପୋଲିସ ସେମାନଙ୍କ ଗାଁକୁ ପଠାଇ ଦେଇଛି।
ଖପ୍ରାଖୋଲ ପୋଲିସ ପାଟ୍ରୋଲିଂ ବେଳେ ହରିଶଙ୍କର ଛକ ନିକଟରୁ ୭ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି। ଚାଲାଣକାରୀ ମଧ୍ୟସ୍ଥ ଓ ଜଣେ ଗାଡି ଡ୍ରାଇଭରଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ଲରମ୍ଭା ଥାନା ଦମାଇପାଲି ଗାଁର ନକୁଲ କୁମ୍ଭାର(୫୦) ଓ ରଞ୍ଜିତ ପଟେଲ (୩୨)। ଶନିବାର ସାରେ ଖପ୍ରାଖୋଲ ଥାନା ପୋଲିସ ପାଟ୍ରୋଲିଂ ବେଳେ ହରିଶଙ୍କର ଛକ ନିକଟରେ ଏକ କାରରେ କେତେକ ଶ୍ରମିକଙ୍କୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଜାଣି ଉଦ୍ଧାର କରିଥିଲା। ସମସ୍ତ ଶ୍ରମିକ ଦମାଇପାଲି ଗାଁର ବୋଲି ପୋଲିସ ସୂଚନା ଦେଇଛି। ପରେ ଉଦ୍ଧାର ଶ୍ରମିକମାନଙ୍କୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଏନେଇ ଖପ୍ରାଖୋଲ ଥାନାରେ ଏକ ମାମଲା(୨୨୦/୨୩) ରୁଜୁ ହୋଇଛି। ଶ୍ରମିକଙ୍କୁ ନିଆଯାଉଥିବା ଗାଡ଼ିକୁ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ କହିଛନ୍ତି।

Share