କେନ୍ଦୁଝର, ୫।୫ (ଡି.ଏନ୍.ଏ.): ଚଳିତ ବର୍ଷ ମାର୍ଚ୍ଚ ମାସରୁ ଦିନକୁ ଦିନ ଖରା ବଢିବାରେ ଲାଗିଛି। ଏପରିକି ଏପ୍ରିଲ ମାସରେ କେନ୍ଦୁଝରରେ ଖରା ପ୍ରାୟ ୪୦ଡିଗ୍ରୀ ଉପରେ ରହୁଛି। କେନ୍ଦୁଝରର ପୁରୁଖା ଲୋକମାନେ କହିଛନ୍ତି, ଏ ବର୍ଷ ଭୀଷଣ ଗରମ ହେଉଛି। ଏଭଳି ଗରମ କେବେ ଅନୁଭବ କରି ନ ଥିଲେ। ଜିଲାରେ ଖଣି ଖାଦାନ, ରାସ୍ତା ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଯେଉଁ ବ୍ୟାପକ ଜଙ୍ଗଲ ନଷ୍ଟ କରାଯାଉଛି ସେଥିପାଇଁ ଏଭଳି ଖରା ଅନୁଭୂତ ହେଉଛି ବୋଲି ସେମାନେ ମତ ଦେଇଛନ୍ତି। ଅନ୍ୟପକ୍ଷେ ଜିଲାରେ କାମ କରୁଥିବା ଶ୍ରମ ବିଭାଗ ଶ୍ରମିକ ମାନଙ୍କର ସ୍ବାର୍ଥକୁ ଜଳାଞ୍ଜଳି ଦେଇ କେବଳ ଗୋଟିଏ ଚିଠି କରିଦେଇ ଚୁପ୍ ହୋଇ ବସିବା ସମସ୍ତଙ୍କୁ ଚକିତ କରିଛି। ମାର୍ଚ୍ଚ ୧୬ ତାରିଖରେ ଜିଲା ଶ୍ରମ ବିଭାଗ ଉପଆୟୁକ୍ତ ପକ୍ଷରୁ ସମସ୍ତ ବିଭାଗକୁ ଏକ ଚିଠି କରାଯାଇଥିଲା। ଚିଠି ନଂ ୫୪୯(୪୩)/ଡି.ଏଲ୍.ସି, କେନ୍ଦୁଝର ସମସ୍ତ ବିଭାଗ, ଠିକାଦାର, କମ୍ପାନୀ ଗୁଡିକୁ ୩ ମାସ ପାଇଁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା୩୦ ପର୍ଯ୍ୟନ୍ତ କାମ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ନିର୍ଦ୍ଦେଶକୁ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା କାର୍ଯ୍ୟକାରୀ କରୁନାହାନ୍ତି। ଏହାବାଦ୍ ଜରୁରୀକାଳୀନ ଭିତ୍ତିରେ ଯେଉଁଠି କାମ ହେଉଥିବ ସେଠାରେ ପ୍ରଚୁର ମାତ୍ରାରେ ପାଣି ସହିତ ଓଆରଏସ୍ ମହଜୁଦ ରଖାଯିବାକୁ ନିର୍ଦ୍ଦେଶ ଥିଲା। ମାତ୍ର ଏହି ନିର୍ଦ୍ଦେଶକୁ ଖୁଲମ୍ଖୋଲା ଉଲ୍ଲଂଘନ କରାଯାଉଛି ା ତେବେ ସବଠୁ ବଡ କଥା ହେଉଛି ଖରା ବେଳେ ହେଉଥିବା କାମ ବନ୍ଦ କରିବା ପାଇଁ ଶ୍ରମ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ କିମ୍ବା ଜରିମାନା ମଧ୍ୟ ଆଦାୟ କରାଯାଉ ନାହିଁ। ଏସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ସୂର୍ଯ୍ୟ ନାରାୟଣ ମାଳିଙ୍କୁ ପଚାରିବାରୁ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାବ୍ୟତୀତ ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି ବୋଲି ସେ କହିଛନ୍ତି।