Categories: ଖେଳ

ଲାବୁସେନ, ସ୍ମିଥ୍‌ଙ୍କ ଦ୍ୱିଶତକ

ପର୍ଥ, ୨ା୧୨ (ଏପି):ମାର୍ନସ ଲାବୁସେନ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଦ୍ୱିଶତକ ଯୋଗୁ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪ ଉଇକେଟ ବିନିମୟରେ ୫୯୮ ରନ କରି ଏହାର ପ୍ରଥମ ଇନିଂସ ଘୋଷଣା କରିଛି। ପର୍ଥ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଷ୍ଟମ୍ପ ଅପସାରଣ ବେଳକୁ ବିନା କୌଣସି ଉଇକେଟରେ ୭୪ ରନ କରିଥିଲା। ଲାବୁସେନ୍‌ ୨୦୪ ରନ କରିଥିଲେ। ଏହା ହେଉଛି ତାଙ୍କର ଦ୍ୱିତୀୟ ଦ୍ୱିଶତକ। ମଧ୍ୟାହ୍ନ ଭୋଜନ ପୂର୍ବରୁ ଅନ୍ତିମ ବଲ୍‌ରେ ସେ ଆଉଟ ହୋଇଥିଲେ। ସ୍ମିଥ୍‌ ୨୦୦ ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସ ଘୋଷଣା କରିବା ବେଳକୁ ଟ୍ରାଭିସ୍‌ ହେଡ୍‌ ୯୯ରନ କରି ଅପରାଜିତ ରହିଥିଲେ। ଭ୍ରମଣକାରୀ ଦଳର ସବୁଠାରୁ ସଫଳ ବୋଲର ଅଫ୍‌ ସ୍ପିନର କ୍ରେଗ୍‌ ବ୍ରାଥ୍‌ଓ୍ବେଟ୍‌ ୫୬ ରନ ବିନିମୟରେ ୨ ଉଇକେଟ ଅକ୍ତିଆର କରିଥିଲେ। ଓ୍ବେଷ୍ଟଇଣ୍ଡିିଜ ଓପନର ବ୍ରାଥ୍‌ଓ୍ବେଟ୍‌ ୧୮ ଏବଂ ଟାଗେନାରିନ୍‌ ଚନ୍ଦରପଲ ୪୭ ରନ କରି ଅପରାଜିତ ରହିଛନ୍ତି। ଉଭୟେ ସଫଳତାର ସହ ୨୫ ଓଭର ଖେଳିଛନ୍ତି। ଏହି ମ୍ୟାଚରେ ଡନ୍‌ ବ୍ରାଡ୍‌ମ୍ୟାନ (୮୮ତମ ଟେଷ୍ଟରେ ୨୯ ଟେଷ୍ଟ ଶତକ)ଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି ସ୍ମିଥ୍‌। ଅଷ୍ଟ୍ରେଲିଆ କ୍ରିକେଟରେ ସବୁଠାରୁ ଅଧିକ ଟେଷ୍ଟ ଶତକ ହାସଲ କରିଛନ୍ତି ରକି ପଣ୍ଟିଂ(୪୧)। ତାଙ୍କ ପଛକୁ ପଛ ଯଥାକ୍ରମେ ରହିଛନ୍ତି ଷ୍ଟିଭ ଓ୍ବ (୩୨) ଓ ମାଥ୍ୟୁ ହେଡେନ (୩୦)।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୫୯୮/୪ (ଲାବୁସେନ୍‌-୨୦୪, ସ୍ମିଥ୍‌-୨୦୦, ଟ୍ରାଭିସ୍‌ ହେଡ୍‌-୯୯; ବ୍ରାଥ୍‌ଓ୍ବେଟ୍‌-୨/୬୫, କରଇଲ ମେୟର୍ସ-୧/୩୯)।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୭୪/୦ (ଟାଗେନାରିନ୍‌ ଚନ୍ଦରପଲ-୪୭*, କ୍ରେଗ୍‌ ବ୍ରାଥଓ୍ବେଟ୍‌-୧୮*)।

Share