Categories: ଜାତୀୟ

୧୯୫୯ର ଏଲ୍‌ଏସିକୁ ଗ୍ରହଣ କରାଯିବନି

ନୂଆଦିଲ୍ଲୀ,୩୦।୯: ଏଲ୍‌ଏସିକୁ ନେଇ ଭାରତ-ଚାଇନା ମଧ୍ୟରେ ବିବାଦ ଗୁରୁତର ରୂପ ଧାରଣ କରିଥିବାବେଳେ ୧୯୫୯ର ଏକପାଖିଆ ସୀମା ନିର୍ଦ୍ଧାରଣକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଭାରତ ମଙ୍ଗଳବାର ସ୍ପଷ୍ଟ କରିଛି। ପ୍ରକୃତ ସୀମାରେଖାକୁ ସମ୍ମାନ ଜଣାଇବା ଓ କୌଣସି ଦୁଃସାହସ ନ କରିବା ଲାଗି ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଚେତାଇ ଦେଇଛନ୍ତି। ଚାଇନାର ବୈଦେଶିକ ମନ୍ତ୍ରୀ ୧୯୫୯ ସୀମା କଥା କହି ସ୍ଥିତିରକ୍ଷା ଉପରେ ଗୁରୁତ୍ୱ ଦେଇଥିବାବେଳେ ଭାରତ ମୁହଁତୋଡ଼ ଜବାବ ଦେଇ ଏହାକୁ ଗ୍ରହଣ କରାଯାଇ ନ ଥିଲା ବୋଲି କହିଛନ୍ତି। ଦୀର୍ଘ ୫ ମାସକାଳ ପୂର୍ବ ଲଦାଖରେ ସୀମାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।
ପ୍ରକାଶଥାଉ କି, ୧୯୫୯ରେ ଚାଇନାର ଝୋଉ ଏନ୍‌ଲାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କୁ ଏଲ୍‌ଏସି ସ୍ଥିତାବସ୍ଥା ନେଇ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଶ୍ରୀବାସ୍ତବ ୧୯୯୩ ଓ ୨୦୦୫ ଶାନ୍ତିଚୁକ୍ତି ସମେତ ବିଭିନ୍ନ ଦ୍ୱିପାକ୍ଷିକ ବୁଝାମଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଲ୍‌ଏସି ଦ୍ୱନ୍ଦ୍ୱ ଦୂର ଲାଗି ଆପୋସ ବୁଝାମଣା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏମିତିକି ନଭେମ୍ବର ୧୦ରେ ଦୁଇ ଦେଶର ବହିର୍ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ସମ୍ପର୍କରେ ମଧ୍ୟ ସେ କହିଛନ୍ତି। ଗତ କିଛିମାସ ମଧ୍ୟରେ ଚାଇନା ସେନାର ଅନୁପ୍ରବେଶକୁ ସେ ସମାଲୋଚନା କରିଛନ୍ତି। ଚାଇନା ସମସ୍ତ ଚୁକ୍ତିକୁ ମାନି ପ୍ରକୃତ ସୀମା ନିର୍ଦ୍ଧାରଣ କ୍ଷେତ୍ରରେ ସହଯୋଗ କରିବା ସହ ଅନୁପ୍ରବେଶ ଉଦ୍ୟମରୁ ଦୂରେଇ ରହୁ ବୋଲି ଶ୍ରୀବାସ୍ତକ ପ୍ରକାଶ କରିଛନ୍ତି।
ସେପଟେ ବାୟୁସେନା ମୁଖ୍ୟ ମାର୍ଶାଲ ଆର୍‌. କେ. ଏସ୍‌. ଭଦୌରିଆ ଲଦାଖ ସୀମାରେ ସ୍ଥିତି ଶାନ୍ତିପୂର୍ଣ୍ଣ ନାହିଁ କି ଯୁଦ୍ଧସମ ନାହିଁ ବୋଲି କହିଛନ୍ତି। ଏଲ୍‌ଏସିରେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତୀୟ ସେନା ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ ପ୍ରକାଶ କରିଛନ୍ତି। ସୀମାରେ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ରାଫାଲ ଲଢ଼ୁଆ ବିମାନ, ସି-୧୭, ଚିନୂକ, ଆପାଚେ ଆଟାକ୍‌ ହେଲିକପ୍ଟର ପ୍ରତିଟି ଚ୍ୟାଲେଞ୍ଜକୁ ଅପେକ୍ଷା କରିଛନ୍ତି। ଆଗାମୀ ୨ ଦଶନ୍ଧୀ ମଧ୍ୟରେ ୪୫୦ ହେଲିକପ୍ଟର କ୍ରୟ କରାଯିବାର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି। ଲଦାଖ ଓ ଏହାର ଆଖପାଖ ପାର୍ବତ୍ୟାଞ୍ଚଳରେ ବାୟୁସେନା ସଜାଗ ରହିବା ସହ ପଇଁତରା ମାରୁଛି। ଚାଇନାର ଯେକୌଣସି ଚାଲ୍‌କୁ ସାମ୍ନାକରିବା ଲାଗି ସେନା ପ୍ରସ୍ତୁତ ଥିବା ସେ କହିଛନ୍ତି।

Share