ଏସ୍‌ସିବିରେ ଶଯ୍ୟା ଅଭାବ: ସଂକ୍ରମଣର କାରଣ ହେବ ଫ୍ଲୋର୍‌ ଆଡମିଶନ

କଟକ ଅଫିସ,୯। ୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର କିଛି ନିର୍ଦ୍ଦିଷ୍ଟ ବିଭାଗରେ ଡାକ୍ତର ଇଚ୍ଛାକରି ମଧ୍ୟ କୋଭିଡ୍‌ ନିୟମ ପାଳନ କରିପାରୁ ନାହାନ୍ତି। ରୋଗୀ ସଂଖ୍ୟା ଏତେ ବଢୁଛି ଯେ ବାଧ୍ୟହୋଇ ଡାକ୍ତର ଫ୍ଲୋର ଆଡମିଶନ (ଚଟାଣରେ ରୋଗୀସେବା) କରୁଛନ୍ତି। ଫଳରେ ଏପରି ସ୍ଥିତିରେ ସଂକ୍ରମଣ ଆଶଙ୍କା ଅଧିକ ରହୁଛି। ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ଦାବି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଦାବି କରୁଛନ୍ତି।

ଏସ୍‌ସିବିର ହେମାଟୋଲୋଜି ବିଭାଗର କ୍ଷମତା ମାତ୍ର ୨୦ଟି ବେଡ୍‌। କିନ୍ତୁ ଏବେ ଏଠାରେ ପ୍ରାୟ ୮୦ରୁ ଅଧିକ ସଂଖ୍ୟକ ରୋଗୀ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ରକ୍ତ କର୍କଟ ଓ ଅସ୍ଥିମଜ୍ଜା କର୍କଟ ରୋଗରେ ପୀଡ଼ିତ। ଏଭଳି ଜଟିଳ ରୋଗୀଙ୍କ ଚିକିତ୍ସା ସୁବିଧା ରାଜ୍ୟର ଖୁବ୍‌ କମ୍‌ ହସ୍ପିଟାଲରେ ଉପଲବ୍ଧ ରହିଛି। ଗମନାଗମନର ବ୍ୟବସ୍ଥା ନ ଥିବାରୁ ଏପରି ରୋଗୀ ରାଜ୍ୟ ବାହାରକୁ ମଧ୍ୟ ଯାଇପାରୁ ନାହାନ୍ତି। ଫଳରେ ସେମାନେ ବାଧ୍ୟହୋଇ ଏସ୍‌ସିବିକୁ ହିଁ ଆସୁଛନ୍ତି। ଏହି ବିଭାଗକୁ ସପ୍ତାହ ପୂର୍ବେ ଗଞ୍ଜାମ ଜିଲାରୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଭାଗୀରଥି ସାମଲ କହିଛନ୍ତି ଯେ, ଏଠାରେ ବହୁ ଦିନ ହେଲା ବେଡ୍‌ ଖାଲି ନାହିଁ। ସମସ୍ୟାକୁ ନେଇ ଆମେ କାହାରିକୁ କହିଲେ ବି କିଛି ସୁଫଳ ମିଳିବ ନାହିଁ। ଅନ୍ୟ ରାଜ୍ୟକୁ ଚିକିତ୍ସା ପାଇଁ ନେବାକୁ ଚାହିଁଲେ ବି ଗମନାଗମନ ସୁବିଧା ନାହିଁ। ପରିସ୍ଥିତିକୁ ଦେଖି ଚୁପ୍‌ ରହିବାକୁ ବାଧ୍ୟ ହେଉଛୁ। ସେହିପରି ନେଫ୍ରୋଲୋଜି ବିଭାଗରେ ବି ମାତ୍ର ୬୦ ବେଡ୍‌ର ବ୍ୟବସ୍ଥା ରହିଛି। କିନ୍ତୁ ଏହି ବିଭାଗରେ ବି ଅଧିକାଂଶ ସମୟରେ ରୋଗୀ ସଂଖ୍ୟା ଦୁଇଗୁଣା ଥାଏ। ଫଳରେ ଏଠାରେ ଅନେକ ସମୟରେ ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ହସ୍ପିଟାଲ କର୍ମଚାରୀ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ଏଯାବତ୍‌ ଏହି ବିଭାଗରେ ଡାକ୍ତର, ରୋଗୀ ଓ ସମ୍ପର୍କୀୟଙ୍କୁ ମିଶାଇ ପ୍ରାୟ ୪୦ ଜଣ କରୋନା ଆକ୍ରାନ୍ତ ହେଲେଣି। ଏ ନେଇ ଏସ୍‌ସିବି ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କୁ ପଚରାଯିବାରୁ କୋଭିଡ୍‌ ଗାଇଡ୍‌ଲାଇନ୍‌ର ବାହାନା କରି ସେ କିଛି କହିବାକୁ ମନା କରିଦେଇଛନ୍ତି।

Share