ବ୍ଲଡ୍‌ ପ୍ଲେଟ୍‌ଲେଟ୍‌ ଅଭାବ

ଭୁବନେଶ୍ୱର,୧।୮(ଅଭିଜିତ ଦାସ):କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ରୋଗୀଙ୍କ ଚିକିତ୍ସାରେ ଆବଶ୍ୟକ ପଡୁଥିବା ବ୍ଲଡ୍‌ ପ୍ଲେଟ୍‌ଲେଟ୍‌ର ଘୋର୍‌ ଅଭାବ ଦେଖାଦେଇଛି। ଏବେ କ୍ୟାପିଟାଲ ହସ୍ପିଟାଲରେ ୩୦ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ଦୈନିକ ଡେଙ୍ଗୁ ରୋଗୀଙ୍କ ପାଇଁ ୩୫ରୁ ଊର୍ଦ୍ଧ୍ୱ ପ୍ଲେଟ୍‌ଲେଟ୍‌ ଦରକାର ହେଉଥିବାବେଳେ ହସ୍ପିଟାଲରେ ଅନ୍ୟ ରୋଗୀଙ୍କ ଚିକିତ୍ସା ଲାଗି ମଧ୍ୟ ରକ୍ତ ଆବଶ୍ୟକ ପଡୁଛି। ଏପରି ସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ ଥିବା ରକ୍ତଭଣ୍ଡାର ଉପରେ ଅଧିକ ଚାପ ପଡୁଛି। ତେବେ ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ କହିବା ଅନୁଯାୟୀ, କଟକ, ଭୁବନେଶ୍ୱରରେ ସମୁଦାୟ ୧୪ଟି ସରକାରୀ ଓ ବେସରକାରୀ ହସ୍ପିଟାଲରେ ରକ୍ତଭଣ୍ଡାର ରହିଛି। ସାଧାରଣତଃ ପ୍ଲେଟ୍‌ଲେଟ୍‌ ତିଆରି ଲାଗି ୬ ଘଣ୍ଟା ସମୟ ଲାଗିଥାଏ। ୪ରୁ ୫ଦିନ ମଧ୍ୟରେ ପ୍ଲେଟ୍‌ଲେଟ୍‌ ବ୍ୟବହାର କରାଯାଇପାରିବ। କିନ୍ତୁ ବର୍ତ୍ତମାନ ରକ୍ତଦାତାଙ୍କ ଅଭାବ ରହିଥିବାବେଳେ ବ୍ଲଡ୍‌ କ୍ୟାମ୍ପର ଆବଶ୍ୟକତା ରହୁଛି। ଅନ୍ୟପକ୍ଷରେ ଡେଙ୍ଗୁ ରୋଗୀଙ୍କ ବ୍ୟତୀତ ଅନ୍ୟ ରୋଗୀମାନଙ୍କ ପାଇଁ ଆବଶ୍ୟକ ପ୍ଲେଟ୍‌ଲେଟ୍‌ ଲାଗି ସମାନ ଗ୍ରୁପ୍‌ର ରକ୍ତ ମିଳିବା କାଠିକର ପାଠ ହୋଇପଡୁଛି।

Share