Categories: ଜାତୀୟ

କୋଇଲା ଅଭାବ: ସୃଷ୍ଟି ହେବ ଅଭୂତପୂର୍ବ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୨୨।୪: ବିଭିନ୍ନ ରାଜ୍ୟରେ ତାପମାତ୍ରା ଅସହ୍ୟ ହୋଇଥିବାବେଳେ କୋଇଲା ଅଭାବ ଯୋଗୁ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ଲୋକଙ୍କୁ ଅତିଷ୍ଠ କଲାଣି। ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ଯୋଗୁ ପଞ୍ଜାବ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ବିଦ୍ୟୁତ୍‌ କାଟ ହେଉଛି। କେତେକ ଅଞ୍ଚଳରେ ଦିନକୁ ୮ ଘଣ୍ଟା ବିଜୁଳି କାଟ୍‌ ହେଉଥିବା ଦେଖାଯାଉଛି। ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡ଼ିକରେ କୋଇଲାର ଘୋର ଅଭାବ ଯୋଗୁ ଭାରତରେ ଆଗାମୀ ଦିନରେ ଅଭୂତପୂର୍ବ ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହେବାକୁ ଯାଉଛି। କେନ୍ଦ୍ରୀୟ ବିଦ୍ୟୁତ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ୧୫୦ ଥର୍ମାଲ ପାଓ୍ବାର ଷ୍ଟେଶନ ମଧ୍ୟରୁ ଘରୋଇ କୋଇଲା ଉପରେ ନିର୍ଭର କରୁଥିବା ୮୧ ପ୍ଲାଣ୍ଟରେ କୋଇଲା ଅଭାବ ଦେଖାଦେଇଛି। ଘରୋଇ ଥର୍ମାଲ ପ୍ଲାଣ୍ଟ ସ୍ଥିତି ମଧ୍ୟ ଅନୁରୂପ। ୫୪ ପ୍ଲାଣ୍ଟ ମଧ୍ୟରୁ ୨୮ଟିରେ କୋଇଲା ସଙ୍କଟ ଦେଖାଦେଇଛି।
ଏପ୍ରିଲ ମଧ୍ୟଭାଗରେ ବିଭିନ୍ନ ତାପଜ ବିଦ୍ୟୁତ ପ୍ଲାଣ୍ଟରେ କୋଇଲା ହାରାହାରି ୯ ଦିନ ପାଇଁ ଗଚ୍ଛିତ ରହିଛି। କୋଇଲା ଯୋଗାଣ ନ ବଢ଼ିଲେ ବିଦ୍ୟୁତ୍‌ ସଙ୍କଟ ଗମ୍ଭୀର ହୋଇପାରେ ବୋଲି ଅଲ୍‌ ଇଣ୍ଡିଆ ପାଓ୍ବାର ଇଞ୍ଜିନିୟର୍ସ ଫେଡେରେଶନର ଅଧ୍ୟକ୍ଷ ଶଳେନ୍ଦ୍ର ଦୁବେ କହିଛନ୍ତି। ୟୁପିରେ ୭ ଦିନ ପାଇଁ କୋଇଲା ଗଚ୍ଛିତ ଥିବାବେଳେ ହରିୟାଣାରେ ୮ ଦିନ, ରାଜସ୍ଥାନରେ ୧୭ ଦିନ ପାଇଁ ମହଜୁଦ ରହିଛି। ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଅନୁରୂପ ଅବସ୍ଥା। ଥର୍ମାଲ ପ୍ଲାଣ୍ଟରେ ୨୬ ଦିନ ବ୍ୟବହାର ଲାଗି କୋଇଲା ମହଜୁଦ ରହିବା ଆବଶ୍ୟକ। ଗତ ୧୯ ତାରିଖରେ ସର୍ବାଧିକ ବିଦ୍ୟୁତ ଚାହିଦା ୧,୮୮,୦୧୪ ମେଗାଓ୍ବାଟ ଥିବାବେଳେ ୪,୪୬୯ ମେଗାଓ୍ବାଟ ବିଜୁଳି ଅଭାବ ରହିଥିଲା। ଅନ୍ୟପକ୍ଷରେ କେନ୍ଦ୍ର ସରକାର ବିଦ୍ୟୁତ୍‌ ସଙ୍କଟ ଆଶଙ୍କାକୁ ଖଣ୍ଡନ କରିଛନ୍ତି। କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌), ଓ୍ବାଶେରି ଏବଂ ଘରୋଇ ବ୍ଲକ୍‌ରେ ୭୨.୫ ନିୟୁତ ଟନ୍‌ କୋଇଲା ମହଜୁଦ୍‌ ଥିବା ବିଭାଗୀୟ ମନ୍ତ୍ରୀ ପ୍ରହଲାଦ ଜୋଷୀ କହିଛନ୍ତି। ୨୦୨୧-୨୨ରେ କୋଇଲା ଆମଦାନୀ ହ୍ରାସ ଥର୍ମାଲ ପ୍ଲାଣ୍ଟରେ କୋଇଲା ଅଭାବର ମୁଖ୍ୟ କାରଣ। ଗତ ଆର୍ଥତ୍କ ବର୍ଷରେ ଭାରତ ମାତ୍ର ୨୫ ନିୟୁତ ଟନ୍‌ କୋଇଲା ଆମଦାନୀ କରିଛି, ଯାହା କି ପୂର୍ବବର୍ଷର ୫୦ ପ୍ରତିଶତ।

Share