Categories: ଜାତୀୟ

କଂଗ୍ରେସରେ ସଙ୍କଟମୋଚକଙ୍କ ଅଭାବ: ହାଇକମାଣ୍ଡଙ୍କୁ ନାହିଁ ଭୟ

ନୂଆଦିଲ୍ଲୀ, ୧୩।୭: ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ ଶାସକ କଂଗ୍ରେସ ଦଳରେ ଅସନ୍ତୋଷ ବଢ଼ିଚାଲିଛି। ୧୩୫ ବର୍ଷ ସର୍ବପୁରାତନ ରାଜନୈତିକ ଦଳରେ ଏଭଳି ସ୍ଥିତି ଲଗାତାର ସୃଷ୍ଟି ହେବା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ଦଳରେ ସଙ୍କଟମୋଚକଙ୍କ ଅଭାବ ଯୋଗୁ ଅବସ୍ଥା ଗୁରୁତର ଆଡ଼କୁ ଗତି କରୁଛି। ଯୁବନେତା ଅସନ୍ତୁଷ୍ଟ ହେବାପରେ ହାଇକମାଣ୍ଡଙ୍କୁ ଭୟ କରୁ ନାହାଁନ୍ତି। ଖୋଲାଖୋଲି ବିଦ୍ରୋହ କରି ଭାଜପା ମୁହାଁ ହେବାରେ ଲାଗିଛନ୍ତି। ଦଳର ଅଧ୍ୟାକ୍ଷା ସୋନିଆ ଗାନ୍ଧୀଙ୍କ କ୍ଷେତ୍ରରେ ଏସବୁର ସହଜ ସମାଧାନ ସମ୍ଭବ ହୋଇପାରୁ ନ ଥିବା ଚର୍ଚ୍ଚା ହେଉଛି। ସେ ଘର ମଧ୍ୟରେ ସୀମିତ ହୋଇ ରହିଛନ୍ତି। ସେହିପରି ଦଳର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀ କେବଳ ଟୁଇଟରରେ ସୀମିତ ହୋଇ ରହିଯାଇଛନ୍ତି। ବିଭିନ୍ନ ସଦସ୍ୟଙ୍କ ସହିତ ମିଳାମିଶା ତୃଣମୂଳସ୍ତରରୁ ଦଳର ସାଂଗଠନିକ କ୍ଷେତ୍ରକୁ ମଜବୁତ କରିବାଠାରୁ ସେମାନେ ଦୂରେଇ ରହୁଛନ୍ତି। ଫଳରେ ଦଳ ପାଇଁ ଦୀର୍ଘଦିନ ଧରି କାମ କରୁଥିବା ନେତାଙ୍କ ମଧ୍ୟରେ ବିଦ୍ରୋହ ଭାବନା ଆସୁଛି। ଏଥିପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share