ଉମରକୋଟ,୮।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ସିଲାଟି ଓ ଯାମରୁଣ୍ଡା ଅଞ୍ଚଳର କେତେଜଣ ବଙ୍ଗୀୟ ଚାଷୀ ଅଦାଚାଷ କରିଛନ୍ତି, ଯାହାକି ବହୁତ ଭଲ ହୋଇଛି। ଉମରକୋଟ ଅଞ୍ଚଳର ଜଳବାୟୁ ଅଦା ଚାଷ ପ୍ରତି ଅନୁକୂଳ ରହିଥିବା ଏଥିରୁ ଜଣାପଡ଼େ। ଉମରକୋଟ, ରାଇଘର ଓ ଝରିଗାଁ ଅଞ୍ଚଳର ଚାଷୀମାନେ ଅଳ୍ପ ଅଳ୍ପ ଜମିରେ ଅଦା ଚାଷ କରନ୍ତି। ଫସଲ ମଧ୍ୟ ଭଲହୁଏ। କିନ୍ତୁ ଏଠାରେ ସଚେତନତା ଅଭାବ ଓ ବିଭାଗ ପକ୍ଷରୁ ପ୍ରୋତ୍ସାହନ ମିଳୁ ନ ଥିବାରୁ ଏପରି ଏକ ଲାଭବାନ ଫସଲ ପ୍ରତି ଚାଷୀ ମନ ବଳାଉନାହାନ୍ତି ବୋଲି କେତେଜଣ ଚାଷୀ ଅଭିଯୋଗ କରିଛନ୍ତି। ଉଦ୍ୟାନ ବିଭାଗ ଯଦି ଚାଷୀମାନଙ୍କୁ ଅଦାଚାଷ ପ୍ରତି ସଚେତନ କରନ୍ତେ ତେବେ ଏଠାକାର ଚାଷୀ ନିଶ୍ଚିତ ଭାବରେ ଅଦାଚାଷ ପ୍ରତି ଆଗ୍ରହ ପ୍ରକାଶ କରନ୍ତେ ବୋଲି ସେମାନେ କହିଛନ୍ତି।
ତଳେ ଯେଉଁ ଅଦା ୮୦ ଟଙ୍କାରେ ମିଳୁଥିଲା ତାହାର ବର୍ତ୍ତମାନ ହୋଲସେଲ ରେଟ ୧୫୦ ଟଙ୍କାରେ ପହଞ୍ଚତ୍ଛି। ବର୍ତ୍ତମାନ ସେମିଳିଗୁଡ଼ାରେ ଅଦା ବେପାରୀମାନେ ଅଦା କିଲୋ ପ୍ରତି ୧୪୮ ଟଙ୍କାରେ ବିକ୍ରି କରୁଛନ୍ତି। ଉକ୍ତ ଅଦା ଉମରକୋଟ ଆସିବା ବେଳକୁ ୧୭୦ ଟଙ୍କାରେ ବିକ୍ରି ହେବ ବୋଲି ଜଣେ ବେପାରୀ କହିଛନ୍ତି। ଅଳ୍ପ ଦିନ ମଧ୍ୟରେ ଅଦା କିଲୋ ପ୍ରତି ୨ଶହ ଟଙ୍କାରେ ପହଞ୍ଚତ୍ବ ବୋଲି ବ୍ୟବସାୟୀ କହୁଛନ୍ତି। ଅଦା ସାଧାରଣତଃ ସେମିଳିଗୁଡା ଅଞ୍ଚଳରୁ ନବରଙ୍ଗପୁର ତଥା ଉମରକୋଟ ବଜାରକୁ ଆସିଥାଏ। ଗତ ବର୍ଷ ଅଦାର ଦର ବହୁତ କମିଯିବାରୁ ଚଳିତ ବର୍ଷ ଚାଷୀ ଅଦାଚାଷ କରି ନ ଥିବା ଜଣାପଡ଼ିଛି। ଫଳରେ ଅଦାର ଦାମ କ୍ରମାଗତ ବଢ଼ିବାରେ ଲାଗିଛି। ଅନ୍ୟପଟେ କେରଳ ଓ କର୍ନାଟକର କେତେଜଣ ଅଣ ଓଡ଼ିଆ ଚାଷୀ ଉମରକୋଟ ଓ ଛତିଶଗଡ଼ ସୀମାରେ ହଜାର ହଜାର ଏକର ଜମିରେ ଅଦା ଲଗାଇ ଚେନ୍ନାଇ ଓ ବାଙ୍ଗାଲୋର ପଠାଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଫଳରେ ଏହି ଅଦା ସବୁ ସେଠାକୁ ଚାଲିଯାଉଛି।
ଉମରକୋଟ କନିଷ୍ଠ ଉଦ୍ୟାନ ବିଭାଗର ଅଧିକାରୀ ସରୋଜ କୁମାର ସେନାପତିଙ୍କୁ ପଚାରିବରୁ ୨୦୧୨-୧୩ରେ ଚାଷୀଙ୍କ ପାଇଁ ହଳଦୀ ବିହନ ଆସିଥିଲା । କିନ୍ତୁ ନବରଙ୍ଗପୁର ଅଞ୍ଚଳର ଚାଷୀ ହଳଦୀ ଚାଷ ପ୍ରତି ଏତେଟା ଆଗ୍ରହ ପ୍ରକାଶ କଲେ ନାହି। ବର୍ତ୍ତମାନ ଚାଷୀଙ୍କ ପାଇଁ ଅଦା ଓ ହଳଦୀ ବିହନ ରିହାତି ଦରରେ ଦେବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତ। ଉମରକୋଟରେ ଉଦ୍ୟାନ ବିଭାଗର ଅଧିକାରୀ ରହୁ ନ ଥିବାରୁ ଚାଷୀମାନେ ବିଭିନ୍ନ ସମୟରେ ହଇରାଣ ହେଉଛନ୍ତି। ଏଠାରେ ଜଣେ ନିୟମିତ ଉଦ୍ୟାନ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଚାଷୀ ମହଲରେ ଦାବି ହେଉଛି।