ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ ହେବାପରଠାରୁ ଭାରତ ନିଜକୁ ଏକବିଂଶ ଶତାବ୍ଦୀର ଜ୍ଞାନର କେନ୍ଦ୍ର ଭାବେ ସ୍ଥାନିତ କରିବାକୁ ଚେଷ୍ଟା କରିଛି। ଉଚ୍ଚଶିକ୍ଷାର ବୈଶ୍ୱିକ ପ୍ରତିଯୋଗିତାମୂଳକ ପ୍ରତିଷ୍ଠାନଗୁଡ଼ିକର ବିଶେଷତା ପ୍ରତିପାଦିତକରି ଏହା ହାସଲ କରିିବାକୁ ଚାହଁୁଛି। କିନ୍ତୁ ଦେଶର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ଜଣେ ଯୁବ ଅର୍ଥନୀତିଜ୍ଞଙ୍କ ଆକସ୍ମିକ ଇସ୍ତଫା ଏବଂ ଏହାକୁ କେନ୍ଦ୍ରକରି କ୍ୟାମ୍ପସରେ ଦେଖାଦେଇଥିବା ବିଦ୍ରୋହ ଏହି ଅଭିଳାଷକୁ ସଫଳ କରିବା ପାଇଁ ଭାରତର ସାମର୍ଥ୍ୟ ଉପରେ ସନ୍ଦେହ ସୃଷ୍ଟି କରିଛି। ଜୁଲାଇରେ, ଅଶୋକା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ସବ୍ୟସାଚୀ ଦାସ ଭାରତର ୨୦୧୯ ସାଧାରଣ ନିର୍ବାଚନରେ ହୋଇଥିବା ଅନିୟମିତତା ଉପରେ ଅଭିଯୋଗ କରି ଏକ ଅନୁଧ୍ୟାନଭିତ୍ତିକ ରିପୋର୍ଟ ପ୍ରକାଶ କରିଥିଲେ। ଏହି ରିପୋର୍ଟକୁ ଏଯାବତ ଅନ୍ୟ ବିଶେଷଜ୍ଞଙ୍କ ଦ୍ୱାରା ସମୀକ୍ଷା କରାଯାଇନାହିଁ। ରିପୋର୍ଟରେ ଦର୍ଶାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ନିର୍ବାଚନରେ ଚଞ୍ଚକତା କାରଣରୁ ଅର୍ଥାତ୍ ଭୋଟର ତାଲିକାରୁ ମୁସଲମାନଙ୍କୁ ବାଦ୍ଦେଇ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ନିର୍ବାଚନମଣ୍ଡଳୀରେ ଅଧିକ ଭୋଟ ପାଇ ଜିତିଥିଲା। ନିଶ୍ଚିତ କରିବାକୁ ଯାଇ ଦାସ କହିଛନ୍ତି, ତଥାକଥିତ ଅନିୟମିତତା ଭୋଟଦାନ ପରିଣାମକୁ ପ୍ରଭାବିତ କରି ନ ଥିଲା; ଭାଜପାର ଏକ ବିରାଟ ବିଜୟ ଘଟିଥିଲା। କିନ୍ତୁ ମୋଦିଙ୍କ ଦଳ ହିନ୍ଦୁ ଜାତୀୟତାର ଆଭିମୁଖ୍ୟକୁ ପ୍ରୋତ୍ସାହିତ କରୁଛି ଏବଂ ଭାରତର ମୁସଲମାନ ସଂଖ୍ୟାଲଘୁଙ୍କୁ ନିର୍ବାଚନରେ ଅପ୍ରାସଙ୍ଗିକ ବୋଲି ମନେକରୁଛି। ତେଣୁ ନିର୍ବାଚନ ଅନିୟମିତତା ଅତ୍ୟନ୍ତ ଚିନ୍ତାଜନକ ଓ ଏହା ସମସ୍ୟା ସୃଷ୍ଟି କରୁଛି।
ଦାସଙ୍କ ଏହି ରିପୋର୍ଟ ନିଆଁ ତେଜିଦେଇଛି। ନୂଆଦିଲ୍ଲୀ ବାହାରେ ଘରୋଇ କଳା ବିଶ୍ୱବିଦ୍ୟାଳୟ ଅଶୋକା ଅବସ୍ଥିତ। ଏଭଳି ସ୍ଥିତିରେ ଏହି ବିଶ୍ୱବିଦ୍ୟାଳୟ ଦାସଙ୍କ ଅନୁସନ୍ଧାନର ପ୍ରାସଙ୍ଗିକତା ଏବଂ ସତ୍ୟତା ଉପରେ ପ୍ରଶ୍ନକରି ତାଙ୍କଠାରୁ ଦୂରରେ ରହିବାକୁ ଚେଷ୍ଟା କରିଛି। ଏହି ରିପୋର୍ଟକୁ ବାହାରେ ପ୍ରକାଶ ନ କରିବା କିମ୍ବା ଆଲୋଚନା ନ କରିବା ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଆଦେଶ ଦେବା ଏବଂ ଏକ ଯାଞ୍ଚ କମିଟି ଆରମ୍ଭ କରିବା ପରେ ଦାସ ଇସ୍ତଫା ଦେଇଥିଲେ। ଅର୍ଥନୀତି ବିଭାଗ ତୁରନ୍ତ ଏହି ପଦକ୍ଷେପକୁ ନିନ୍ଦା କରିଛି ଏବଂ ଦାସଙ୍କୁ ବିନା ସର୍ତ୍ତରେ ପୁନଃ ଅବସ୍ଥାପିତ କରିବାକୁ ଜୋର ଦେଇଛି। ବିଶ୍ୱବିଦ୍ୟାଳୟର ଅନ୍ୟ ବିଭାଗଗୁଡ଼ିକ ଏଥିରେ ଏକମତ ହୋଇଛନ୍ତି। ଛାତ୍ରମାନେ ମଧ୍ୟ ବିଶ୍ୱବିଦ୍ୟାଳୟ ପଦକ୍ଷେପ ଉପରେ ଅସନ୍ତୋଷର ସ୍ବର ଉଠାଇଛନ୍ତି।
ଅନେକ ଦଶନ୍ଧି ହେଲା ସରକାର ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସ୍ବାଧୀନତା ଓ ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ଚାପ ପକାଇ ଆସିଛନ୍ତି। ଏପରିକି ବହୁ ସମୟରେ ଯେଉଁ ଅଧ୍ୟାପକଙ୍କ ଗବେଷଣା ବା ଅନୁଧ୍ୟାନ ସରକାରୀ ବ୍ୟବସ୍ଥା ବିରୋଧରେ ଯାଇଛି ତାହାକୁ ପରୋକ୍ଷରେ ଖଣ୍ଡନ କରାଯାଇଛି। କିନ୍ତୁ ୨୦୧୪ରେ ମୋଦି କ୍ଷମତାକୁ ଆସିବା ପରଠାରୁ ଏହି ଚାପ ନୂତନ ସ୍ତରରେ ପହଞ୍ଚିଛି। ୨୦୨୧ରେ ମୋଦିଙ୍କ ନୀତିର ଦୃଢ଼ ସମାଲୋଚକ ତଥା ରାଜନୈତିକ ବୈଜ୍ଞାନିକ ପ୍ରତାପଭାନୁ ମେହେଟ୍ଟା ମଧ୍ୟ ଅଶୋକାରୁ ଇସ୍ତଫା ଦେଇଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତାମାନେ ଏହାକୁ ଅଧିକ ସ୍ପଷ୍ଟ କରିଛନ୍ତି। ତେବେ ବାହାରକୁ କମ୍ ଜଣାଶୁଣା ଶିକ୍ଷାନୁଷ୍ଠାନଗୁଡ଼ିକରେ ଗବେଷକଙ୍କ ଉପରେ ପ୍ରବଳ ଚାପ ରହିଛି। ଏହା କ୍ୟାମ୍ପସ ବାହାରକୁ ବ୍ୟାପିଛି, ଯାହା ଭାରତର ଅନ୍ୟତମ ସମ୍ମାନଜନକ ଥିଙ୍କ୍ ଟ୍ୟାଙ୍କ୍ ସେଣ୍ଟର ଫର୍ ପଲିସି ରିସର୍ଚ୍ଚ ଦ୍ୱାରା ପ୍ରମାଣିତ ହୋଇଛି।
ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଦେଶରେ ସେମାନଙ୍କ କେନ୍ଦ୍ର ଖୋଲନ୍ତୁ ବୋଲି ମୋଦି ସରକାର ଚାହୁଁଛନ୍ତି ଏବଂ ଇନ୍ଷ୍ଟିଚ୍ୟୁଟସ୍ ଅଫ୍ ଏମନେନ୍ସ ଭାବରେ ମନୋନୀତ ନିର୍ଦ୍ଦିଷ୍ଟ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅତ୍ୟଧିକ ନିବେଶ କରିଛନ୍ତି। ତେବେ ଏବକାର ବିବାଦଗୁଡ଼ିକରୁ ଜଣାପଡ଼ୁଛି ଯେ, ମୋଦି ବହୁ ସମୟରେ ଭାରତ ବିଶ୍ୱଗୁରୁ ହେବ ବୋଲି ଯାହା କହୁଛନ୍ତି ତାହା ସମ୍ଭବ ହେବ ନାହିଁ। ଉଭୟ ସରକାର ଏବଂ ବିଶ୍ୱବିଦ୍ୟାଳୟର ନେତୃତ୍ୱମାନେ ବିଶ୍ୱସନୀୟ ଭାବରେ ବୌଦ୍ଧିକ ସ୍ବାଧୀନତା ବଜାୟ ରଖିବାରେ ପ୍ରତିବଦ୍ଧତା ପ୍ରକାଶ ନ କଲେ ଏହା ହାସଲ ହୋଇପାରିବ ନାହିଁ। ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଅଧ୍ୟାପକମାନଙ୍କୁ ବିବାଦୀୟ ବିଷୟଗୁଡ଼ିକ ଉପରେ ଅନୁସନ୍ଧାନ କରିବା ଏବଂ ରାଜନୈତିକ ଦୃଷ୍ଟିରୁ ଅଡୁଆ ହେଉଥିବା ସିଦ୍ଧାନ୍ତକୁ ପ୍ରକାଶ କରିବା ପାଇଁ ସ୍ବାଧୀନତା ଦେବା ଦରକାର। ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ଉପରେ ସରକାର ବଜାୟ ରଖିଥିବା କ୍ଷମତା ଯୋଗୁ ଏଭଳି ପରିବେଶ ସୃଷ୍ଟି କରିବାକୁ ଦାୟିତ୍ୱରେ ବିଶ୍ୱବିଦ୍ୟାଳୟଗୁଡ଼ିକର ମୁଖ୍ୟମାନେ ଏକ କଷ୍ଟକର ସ୍ଥିତିରେ ରହିଛନ୍ତି। ଏହା ସୂଚାଇଦିଏ ଯେ, ସରକାରଙ୍କ ନିୟାମକ ନିୟନ୍ତ୍ରଣ ଏବେ ସୁଦ୍ଧା ଶେଷ ହୋଇନାହିଁ, ବରଂ ଉଦାରୀକରଣ ପରେ ଏହା ବଢ଼ିଛି। ଏପରିକି ବିଭିନ୍ନ ପାଣ୍ଠିରେ ଚାଲୁଥିବା ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ରାଜନୈତିକ ଚାପରୁ ସେତେ ସୁରକ୍ଷିତ ନୁହନ୍ତି ଯେତିକି ଲୋକେ ବିଶ୍ୱାସ କରୁଛନ୍ତି। କିନ୍ତୁ ତାହାକୁ ନେଇ ଅଧ୍ୟାପକମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସକମାନେ ପ୍ରକାଶ କରୁଥିବା ଅଦମ୍ୟ ସମର୍ଥନରୁ ଓହରିଯିବା ଉଚିତ ନୁହେଁ। ଏପରିକି ବିଶେଷଭାବରେ ସେମାନେ ବିବାଦୀୟ ବିଷୟ ଚୟନ କରୁଥିବା ସମୟରେ ଏଭଳି କରିବା ଅନୁଚିତ। ଏକ ଜଗତୀକରଣ ବିଶ୍ୱରେ, ଯେଉଁ ପ୍ରଜ୍ଞାଧାରୀ ଭାରତୀୟମାନେ ନିଜ ନିଜ ଦେଶରେ ବାଧାର ସମ୍ମୁଖୀନ ହେଉଛନ୍ତି ସେମାନେ ବିଦେଶରେ ଭଲ ସୁଯୋଗ ଖୋଜିପାରିବେ। ଅନେକେ ଏହା କରିସାରିଛନ୍ତି। ୨୦୨୨ରେ ୨,୨୫,୦୦୦ରୁ ଅଧିକ ଭାରତୀୟ ସେମାନଙ୍କ ନାଗରିକତ୍ୱରୁ ତ୍ୟାଗ କରିଛନ୍ତି, ଯାହାକି ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ। ଶେଷ କଥା ହେଉଛି, ଅତ୍ୟଧିକ ପ୍ରଜ୍ଞାଧାରୀ ଭାରତର ଉଚ୍ଚଶିକ୍ଷାରୁ ବିଦେଶକୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଯେଉଁଥିପାଇଁ ନିକଟରେ କରାଯାଇଥିବା କ୍ୟୁଆର୍ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍ରେ ଦେଶର ସବୁଠୁ ଭଲ ପ୍ରଦର୍ଶନ କରୁଥିବା ବିଶ୍ୱବିଦ୍ୟାଳୟ ୧୪୯ ସ୍ଥାନରେ ରହିଛି। ସରକାରୀ ସମର୍ଥକମାନେ ଯେଉଁମାନେ ଚିନ୍ତକମାନଙ୍କୁ ଜାତୀୟ ବିରୋଧୀ ଭାବରେ ପରିହାସ କରିଥିଲେ, ସେମାନେ ସାଥୀ ଗବେଷକଙ୍କ ଦ୍ୱାରା ରିପୋର୍ଟର ସମୀକ୍ଷା କରାଯିବାର ଯୁକ୍ତିଯୁକ୍ତତାକୁ ଜାଣିବାରେ ବିଫଳ ହୋଇଛନ୍ତି। ତେବେ ଦାସ ତାଙ୍କ ରିପୋର୍ଟରେ ଯେଉଁ ବିବାଦୀୟ ସିଦ୍ଧାନ୍ତଗୁଡିକ ଉଲ୍ଲେଖ କରିଥିଲେ ତାହାକୁ ଯାଞ୍ଚରେ ଶେଷ କରିଦିଆଯାଇପାରେ। କିନ୍ତୁ ଯଦି ସେମାନେ ସାହସ ଜୁଟାଇ ସମର୍ଥନ କରନ୍ତି, ତେବେ ତାଙ୍କ ତଥ୍ୟ ଓ ଲେଖା ସମସ୍ତଙ୍କ ପାଇଁ ଯାଞ୍ଚର ବାଟ ଖୋଲିଦେବ।
ଦୁର୍ଭାଗ୍ୟବଶତଃ, ଏହି ମାମଲା ସମ୍ଭାବ୍ୟ ଦୁନିଆର ସବୁଠାରୁ ଖରାପ ଦିଗକୁ ସୂଚିତ କରୁଛି। ପ୍ରଥମରେ ଜଣେ ସଙ୍କଳ୍ପଧାରୀ ଗବେଷକ ନିଜ ଚାକିରି ଛାଡ଼ିବାକୁ ବାଧ୍ୟ ବୋଲି ଅନୁଭବ କଲେ। ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଆତ୍ମବିଶ୍ୱାସର ସଙ୍କଟ ଦେଇ ଗତି କରୁଛି, ଯେହେତୁ ଅଧ୍ୟାପକ ଏବଂ ଛାତ୍ରମାନେ ପ୍ରଶାସକଙ୍କ ବିରୋଧରେ ଠିଆହେବା ଲାଗି ପଛଘୁଞ୍ଚା ଦେଇଛନ୍ତି ଏବଂ ସାମାଜିକ-ବିଜ୍ଞାନ ଅନୁସନ୍ଧାନର ମୌଳିକ ନୀତିଗୁଡିକ ବୁଝିବାରେ ବିଶ୍ୱବିଦ୍ୟାଳୟ ବିଫଳ ହୋଇଛି। ଫଳସ୍ବରୂପ, ଭାରତର ଉଦାରବାଦ ଦକ୍ଷତା ବା ପରିଚୟ ଆଉ ଏକ ଶକ୍ତ ଝଟ୍କା ପାଇଛି। ସବୁ ସମାଜ ଭଳି ଭାରତ ମଧ୍ୟ ଏକାଡେମିକ ଉତ୍କର୍ଷ ଲାଭ କରିବାକୁ ଚାହେଁ। ବାମ କିମ୍ବା ଦକ୍ଷିଣପନ୍ଥୀ ଆଦର୍ଶକୁ ଅନୁମତି ଦେଇ ନୁହେଁ , ବରଂ ଗବେଷଣାକୁ ମାର୍ଗଦର୍ଶନ କରି ଏହା କରାଯାଇପାରିବ। ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧ୍ୟାପକଙ୍କୁ ତ୍ୟାଗ କରିପାରିବେ ନାହିଁ, ଯେଉଁମାନେ ରାଜନୈତିକ ସ୍ତରରେ ବିବାଦୀୟ ତଥା ଉତ୍ତେଜନାମୂଳକ ପ୍ରଶ୍ନ ଉତ୍ଥାପନ କରୁଛନ୍ତି। ଅନ୍ୟଥା, ମାନବ ପୁଞ୍ଜି କୁହାଯାଉଥିବା ଛାତ୍ରମାନେ ଏକ ‘ନୂତନ ଭାରତ’କୁ ଇନ୍ଧନ ଦେବ ବୋଲି ଯାହା ଆଶା କରାଯାଏ ସେଥିରେ ବି କ୍ଷତି ହେବ। ସରକାର ରାଜନୈତିକ ଅନୁସନ୍ଧାନ ଭାବନାକୁ ବନ୍ଦ କରିଦେଇଛନ୍ତି।