ନିଅଣ୍ଟିଆ ବର୍ଷା: ଚାଷୀକୁଳ ହତାଶ

ବାଲିଗୁଡ଼ା,୧୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଆଷାଢ଼ ସରି ଶ୍ରାବଣ ଆସିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି। ମୌସୁମୀ ବାୟୁ ଦୁର୍ବଳ ହେତୁ ବର୍ଷାର ପରିମାଣ କମ୍‌ ରହିଛି। ପାଣି ଅଭାବ ଯୋଗୁ ଚାଷୀକୁଳ ହତାଶ ହୋଇପଡ଼ିଛି। ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁ ଆଗେଇ ପାରୁନି ଚାଷ କାମ। ବର୍ଷାର ଆଗମନ ଦେଖି ଚାଷୀ ଧାନ ବିହନ ସଂଗ୍ରହ କରି ତଳି ପକାଇଥିଲେ। କିନ୍ତୁ ବର୍ଷା ହେଉ ନ ଥିବାରୁ ଏବେ ସେ ସବୁ ତଳି ମରିବାକୁ ବସିଲାଣି। ବୁଣା ଯାଇଥିବା ତଳି ବିଲ ମଧ୍ୟ ଫାଠି ଆଁ କଲାଣି । ତେଣୁ ତଳିକୁ ବଞ୍ଚାଇବା ପାଇଁ ଚାଷୀ ନୂଆ ଓ କେଉଁ ଖାଲ ଜମିରୁ ପାଣି ସଂଗ୍ରହ କରି ବିଲରେ ସିଞ୍ଚୁଛି। କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ସମେତ ଆଖ ପାଖ ତୁମୁଡିବନ୍ଧ, କୋଟଗଡ଼, କ.ନୂଆଗାଁ ଭଳି ଆଖପାଖ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏବେସୁଦ୍ଧା ୫୦ ପ୍ରତିଶତ ଧାନ ଜମି ରୁଆ ସରିବାକୁଥିବା ବେଳେ ନିଅଣ୍ଟିଆ ବର୍ଷା ଯୋଗୁ ଆଦୌ ଧାନ ଚାଷ ଆଗେଇ ପାରୁନାହିଁ। ଫଳରେ ଚିନ୍ତାରେ ପଡ଼ିଛି ଚାଷୀ। ଜମିରେ ଗାଈ ଚରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଯଦି ଆସନ୍ତା ଏକ ସପ୍ତାହ ମଧ୍ୟରେ ଆବଶ୍ୟକ ପରିମାଣରେ ବର୍ଷା ନ ହୁଏ ତେବେ ବୁଣା ଯାଇଥିବା ତଳି ନଷ୍ଟ ହୋଇଯିବ ଆଉ ତଳି ପକାଇବା ପାଇଁ ବିହନ ମୁଠେ ବି ମିଳିବ ନାହିଁ। କିଛି ଦିନ ତଳେ ଭଲ ବର୍ଷା ହୋଇଥିଲା। ହେଲେ ହଠାତ୍‌ ବର୍ଷା ଗାଏବ ହୋଇ ପ୍ରବଳ ଖରା ଓ ଗରମ ହେଉଥିବା କାରଣରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ଯାହାକୁ ନେଇ ଧାନ ଚାଷୀ ଆଶା ଓ ଆଶଙ୍କାରେ ଗତି କରୁଥିବା ବେଳେ ଏ ସବୁ ଅଞ୍ଚଳରେ ଧାନ ଜମିପଡ଼ିଆ ପଡ଼ିଛି। ଯାହାଦ୍ବାରା ଧାନ ଜମି ପାଲଟିଛି ଗୃହପାଳିତ ପଶୁଙ୍କ ଚାରଣ ଭୂମି। ସେପଟେ ଆଖପାଖ ଅଞ୍ଚଳରେ ଜଳ ସମ୍ପଦ ଉପଖଣ୍ଡ ଅଧୀନରେ ଥିବା କେନାଲଗୁଡ଼ିକରେ ଘାସ ଏବଂ ଅନାବନା ଗଛ ଉଠି କେନାଲ ସଙ୍କୁଚିତ ହୋଇପଡ଼ିଛି। ବିଭାଗ ନା କେନାଲ ସଫା କରୁଛି ନା କେନାଲ ପାଣି ଯୋଗାଇ ଦେଉଛି। ଏନେଇ ଧାନ ଚାଷୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାଜ୍ୟ ଜଳ ସମ୍ପଦ ବିଭାଗ ତୁରନ୍ତ କେନାଲ ପାଣି ଯୋଗାଇ ଦେବା ପାଇଁ ଦାବି ହୋଇଛି ।