ବର୍ଷା ଅଭାବ, ଚାଷ ସ୍ଥିତି ସଙ୍ଗିନ

ପଦ୍ମପୁର,୧।୯(ପ୍ରଦୀପ୍ତ ଦାଶ): ଶ୍ରାବଣ ମାସ ସରିଗଲା। ମାତ୍ର ଯେତିକି ବର୍ଷା ହେବା କଥା ତାହା ହେଲାନାହିଁ। ଅଗଷ୍ଟ ମାସରେ ପଦ୍ମପୁର ଉପଖଣ୍ଡରେ ୩୭୪ ମିମି ବର୍ଷା ହେବା କଥା। ମାତ୍ର ୨୩୧ ମିମି ବର୍ଷା ରେକର୍ଡ ହୋଇଛି। ଏହି ମାସରେ ମାତ୍ର ୫ଦିନ ବର୍ଷା ହୋଇଥିବା ବେଳେ ସେଥିରୁ ୩ଦିନ କାଁ ଭାଁ ବର୍ଷା ହୋଇଛି। ଫଳରେ ବର୍ଷା ଉପରେ ନିର୍ଭର କରୁଥିବା ପଦ୍ମପୁର ଉପଖଣ୍ଡର ଅନେକ ଚାଷଜମିରେ ରୁଆ ବେଉଷଣ କାମ ହୋଇପାରିନାହିଁ। ଅନେକ ଚାଷୀ ପୂର୍ବରୁ ରୁଆ ବେଉଷଣ ସାରି ଦେଇଥିବା ବେଳେ ଏବେ ଜମି ମାଟି ଫାଟିଯିବା ସହିତ ଧାନ ଗଛ ଲାଲ ହୋଇଗଲାଣି। ବର୍ଷା ଅଭାବରୁ ନଦୀନାଳର ଜଳସ୍ରୋତ ବନ୍ଦ ହୋଇଗଲାଣି। ଏହାର ପ୍ରଭାବରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଉଠାଜଳସେଚନ ଦ୍ୱାରା ହେଉଥିବା ଜଳସେଚନ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ଚାଷୀ ଚିନ୍ତାରେ ପଡିଯାଇଛନ୍ତି। ବର୍ତ୍ତମାନ ଉପଖଣ୍ଡରେ ଚାଷ ସ୍ଥିତି ସଙ୍ଗୀନ ହୋଇପଡିଛି। ଆଗାମୀ ସପ୍ତାହ ଭିତରେ ବର୍ଷା ନ ହେଲେ ସ୍ଥିତି ଆହୁରି ଭୟଙ୍କର ହେବା ସହିତ ଉତ୍କଟ ମରୁଡିର ଆଶଙ୍କାକୁ ଏଡାଇ ହେଉନାହିଁ। ସୂଚନାଯୋଗ୍ୟ, ଏହି ଉପଖଣ୍ଡରେ ଅଗଷ୍ଟ ମାସରେ ୩୭୪.୪ ମିମି ବର୍ଷା ହେବା କଥା। ମାତ୍ର ବିଜେପୁରରେ ୫୦୪ ମିମି, ଗାଇସିଲେଟ ୩୦୪ ମିମି, ଝାରବନ୍ଧ ୨୮୪ ମିମି, ପଦ୍ମପୁର ୨୩୧ମିମି, ପାଇକମାଳ ୨୨୯ମିମି ଓ ସୋହେଲାରେ ୨୪୧ ମିମି ବର୍ଷା ରେକର୍ଡ ହୋଇଛି। ଉପଖଣ୍ଡରେ ୩୧ଦିନ ମଧ୍ୟରୁ ମାତ୍ର ୫/୬ ଦିନ ବର୍ଷା ହୋଇଛି । ପଦ୍ମପୁର ବ୍ଲକର ଦହିତା, ଦହିଗାଁ, ବୁଡେନ ଚାରପାଲି ପଞ୍ଚାୟତର ଅନେକ ଚାଷୀ ଆଗାମୀ ଲଘୁଚାପ ବର୍ଷାକୁ ଅପେକ୍ଷା କରିଛନ୍ତି। ବର୍ଷା ନ ହେଲେ ସେମାନେ ବିଲରେ ଗୋରୁ ଛାଡିବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି। ରାଜସ୍ବ ଓ କୃଷି ବିଭାଗ ଅଧିକାରୀ ଚାଷଜମି ପରିଦର୍ଶନ କରିବା ସହ ସରକାରକୁ ଜଣାଇବା ପାଇଁ ଅନେକ ଚାଷୀ ମତ ଦେଇଛନ୍ତି।

Share